ଝୁଲଣଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର

0

ମୁମ୍ବଇ : ଭାରତୀୟ ମହିଳା କ୍ରିକେଟ ଦଳର ଫାଷ୍ଟବୋଲର ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଖୁବ୍‍ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ସୋନି ପିକ୍‍ଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ୍‍ସ ଏହି ଚଳଚ୍ଚିତ୍ରର ନିର୍ମାଣ କରିବାକୁ ଯାଉଛି।
ସୋନି ପିକ୍‍ଚର୍ସର ପରିଚାଳନା ନିର୍ଦେଶକ ବିବେକ କୃଷ୍ଣାନି କହିଛନ୍ତି, ଝୁଲଣଙ୍କ ଜୀବନ କାହାଣୀ ଅବିଶ୍ୱସନୀୟ। ଅତ୍ୟନ୍ତ କଷ୍ଟକର ସମୟ ଦେଇ ଗତିକରି କଠିନ ପରିଶ୍ରମ ଓ ଦୃଢ଼ ନିଶା ବଳରେ ଝୁଲଣ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଏହା ଅତ୍ୟନ୍ତ ମର୍ମସ୍ପର୍ଶୀ, ପ୍ରେରଣାଦାୟୀ ଓ ରୋମାଞ୍ଚକର। କୋଟିକୋଟି ଭାରତୀୟଙ୍କ ନିଃଶ୍ୱାସରେ କ୍ରିକେଟ୍‍ ହିଁ ଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଝୁଲଣ ହେଉଛନ୍ତି ଆଦର୍ଶ। ଆମେ ଯେତେବେଳେ ଜାଣିଲୁ ଯେ ବର୍ତ୍ତମାନ ଯେଉଁସ୍ଥାନରେ ଝୁଲଣ ପହଞ୍ଚିଛନ୍ତି; ସେଠାରେ ପହଞ୍ଚିବା ପାଇ ସେ ଅତ୍ୟନ୍ତ କଷ୍ଟକର ରାସ୍ତା ଦେଇ ଗତି କରିଛନ୍ତି। ତେଣୁ ଆମେ ବଡ଼ ପରଦାରେ ଝୁଲଣଙ୍କ ଜୀବନୋତ୍ସବ ପାଳନ କରିବାକୁ ଯାଉଛୁ। ସାରାବିଶ୍ୱକୁ ଝୁଲଣଙ୍କ କ୍ରିକେଟ ଯାତ୍ରା ଆମେ ଦେଖାଇବାକୁ ଚାହୁଁଛୁ। ଝୁଲଣ ଏତେ କଠିନ ସମୟ ଦେଇ ଆସିଥିଲେ ହେଁ ହସିବା ଭୁଲିନାହାନ୍ତି। ସୂଚନାଯୋଗ୍ୟ; ଝୁଲଣ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ହେବେ; ଯାହାଙ୍କ ଜୀବନ ଉପରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ପୂର୍ବରୁ ୩ ପୁରୁଷ ଭାରତୀୟ କ୍ରିକେଟ ତାରକା ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି। ପଶ୍ଚିମବଙ୍ଗର କଲ୍ୟାଣୀ ସବ୍‍ଡିଭିଜନ୍‍ର ଚକ୍‍ଦାହାରେ ଜନ୍ମଗ୍ରହଣ କରିଥିବା ୩୪ ବର୍ଷ ବୟସ୍କା ଝୁଲଣ ଗୋସ୍ୱାମୀ ଗତ ୨ ଦଶନ୍ଧି ହେଲା ନିୟମିତ ଭାବେ ଭାରତ ପାଇଁ ଖେଳି ଆସୁଛନ୍ତି। ମହିଳା ପେସ୍‍ ବୋଲର ଭାବେ ସେ ଭାରତ ପାଇଁ ସର୍ବାଧିକ ୱିକେଟ ନେବା ସହ ଆଇସିସି ଦିନିକିଆ ବୋଲିଂ ମାନ୍ୟତାରେ ୧ନଂ ସ୍ଥାନରେ ଥିଲେ। ବର୍ତ୍ତମାନ ଆଇସିସି ଦିନିକିଆ ବୋଲିଂ ମାନ୍ୟତାରେ ଝୁଲଣ ୫ନଂ ସ୍ଥାନରେ ଅଛନ୍ତି। ୫ ଫୁଟ୍‍ ୧୧ ଇଞ୍ଚ୍‍ ଉଚ୍ଚତାର ସଦ୍‍ବ୍ୟବହାର କରି ଝୁଲଣ ଭଲ ଗତିରେ ବୋଲିଂ କରିପାରନ୍ତି ଏବଂ ତାଙ୍କ ବଲ୍‍ ବାଉନ୍‍ସ ହୋଇଥାଏ। ଏଥିପାଇଁ ତାଙ୍କୁ ‘ମହିଳା ବ୍ରେଟ୍‍ ଲି’ ବୋଲି କୁହା ଯାଇଥିଲା। ଅଦ୍ୟାବଧି ୧୬୪ ଦିନିକିଆରେ ଝୁଲଣ ୧୯୫ଟି ୱିକେଟ ନେଇଛନ୍ତି।

Leave A Reply