ବିହାର ଏବଂ ଗୋଆରେ ଆରଜେଡି- କଂଗ୍ରେସ ସରକାର ଗଢିବାକୁ ଦାବି ରଖିଲେ

0

ପାଣାଜୀ/ପାଟନା/ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବାକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। କର୍ଣ୍ଣାଟକକୁ ଆଧାର କରି କଂଗ୍ରେସ ଗୋଆରେ ଏବଂ ଆରଜେଡି ବିହାରରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକ ଭଳି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସେମାନଙ୍କୁ ବି ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରଣ କରନ୍ତୁ ଓ ସୁଯୋଗ ଦିଅନ୍ତୁ ବୋଲି କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଦାବି କରିଛନ୍ତି। ସେହିରପରି ବିହାର ସରକାରଙ୍କୁ ଭାଙ୍ଗି ତାଙ୍କୁ ସରକାର ଗଢିବାକୁ ସୁଯୋଗ ଦେବାକୁ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି। ଏଥିପାଇଁ ସେ ଦିନିକିଆ ପ୍ରତୀକ ଧାରଣା ଦେବାକୁ ଘୋଷଣା କରିଛନ୍ତି।
ଗୋଆ କଂଗ୍ରେସ ନେତା ୟତିଶ ନାଏକ କହିଛନ୍ତି ଯେ ଗୋଆରେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୭ ଆସନ ଜିତିଥିଲା। କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ସତ୍ତ୍ବେ ରାଜ୍ୟପାଳ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଯୋଗୁ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର କର୍ଣ୍ଣାଟକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪, କଂଗ୍ରେସ ୭୮, ଜେଡିଏସ୍‍ ୩୮, ଅନ୍ୟାନ୍ୟ ଏବଂ ସ୍ୱାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି। ଗୋଆ ଭଳି ନିର୍ବାଚନ ପରବର୍ତ୍ତୀ ମେଣ୍ଟ କଂଗ୍ରେସ ଏବଂ ଜେଡିଏସ୍‍କୁ ସରକାର ଗଠନ ପାଇଁ ରାଜ୍ୟପାଳ ଅମନ୍ତ୍ରଣ କରିନାହାନ୍ତି। ଏଠାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଅମନ୍ତ୍ରଣ କରିଛନ୍ତି। କର୍ଣ୍ଣାଟକର ନାଟକ ପରେ ଗୋଆ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପାଣାଜୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ କଂଗ୍ରେସ ନେତା ଓ ବିଧାୟକଙ୍କ ସହ ରାଜ୍ୟପାଳଙ୍କୁ ଭେଟି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଦାବି ରଖିବେ। ଆବଶ୍ୟକ ପଡିଲେ କଂଗ୍ରେସ ରାଜଭବନରେ ବିଧାୟକଙ୍କ ପରେଡ କରିବ। ପ୍ରକାଶ ଯେ ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭, ବିଜେପି ୧୩, ଅନ୍ୟାନ୍ୟ ୬ ଏବଂ ସ୍ୱାଧୀନ ୨ ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ୮ ବିଧାୟକଙ୍କ ସମର୍ଥନ ଲାଭ କରି ବଜେପି ସରକାର ଗଠନ କରିଛି। ସେହିପରି ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିହାରରେ ତାଙ୍କ ଦଳକୁ ସରକାର ଗଠନର ସୁଯୋଗ ଦେବାକୁ ଦାବି ରଖିଛନ୍ତି। ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ କର୍ଣ୍ଣାଟକ ଭଳି ତାଙ୍କ ଦଳକୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରନ୍ତୁ ବୋଲି ସେ କହିଛନ୍ତି। ଏଥିପାଇଁ ଆରଜେଡି ଶୁକ୍ରବାର ଦିନିକିଆ ପ୍ରତୀକ ଧାରଣା ଦେବେ ବୋଲି ସେ ଘୋଷଣା କରିଛନ୍ତି। ମୋଟ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ୮୦, ଜେଡିୟୁ ୭୧, ବିଜେପି, ୫୩, କଂଗ୍ରେସ ୨୭, ଅନ୍ୟାନ୍ୟ ୮ ଏବଂ ସ୍ୱାଧୀନ ୪ଟି ଆସନରେ ବିଜୟୀ ହୋଇଥିଲେ। ପ୍ରଥମେ ମହାମେଣ୍ଟ କରି ଆରଜେଡି, ଜେଡିୟୁ ଏବଂ କଂଗ୍ରେସ ସରକାର ଗଠନ କରିଥିଲେ। ମହାମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ଏବଂ ବିଜେପି ମେଣ୍ଟ ସରକାର ଗଠନ କରିଛନ୍ତି।

Leave A Reply