କର୍ଣ୍ଣାଟକରେ ୟେଦୁରପ୍ପା ସରକାର

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରିଛନ୍ତି। ବିଜେପିକୁ ସରକାର ଗଢିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଚିଠି ମିଳିଛି। ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ୧୫ ଦିନର ସମୟ ଦିଆଯାଇଛି। ଗୁରୁବାର ସକାଳ ସାଢେ ୯ଟାରେ ୟେଦୁରପ୍ପାଙ୍କ ସରକାର ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରଠାରୁ ୧୫ ଦିନ ମଧ୍ୟରେ ବିଜେପି ବହୁମତ ସାବ୍ୟସ୍ତ କରିବ। ଅପରପକ୍ଷରେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ଉପନୀତ ଜେଡି(ଏସ୍‍)-କଂଗ୍ରେସ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଛନ୍ତି ।
ଜେଡି(ଏସ୍‍) ବିଧାୟକ ଦଳ ନେତା ନେତା ଏଚ୍‍. ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତିି ଯେ ବିଜେପି ଘୋଡ଼ାବେପାର ଆରମ୍ଭ କରିଛି; ତାଙ୍କ ଦଳର ବିଧାୟକଙ୍କୁ ୧୦୦କୋଟି ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀ ପଦ ଯାଚୁଛି। କୁସ୍ତାଗି ଆସନରୁ ନିର୍ବାଚିତ କଂଗ୍ରେସ ବିଧାୟକ ଲିଙ୍ଗାଗୌଡ଼ା ପାଟିଲ ବାୟାପୁରଙ୍କ ଅଭିଯୋଗ ଆଧାରରେ କୁମାରସ୍ୱାମୀ ଏଭଳି ଅଭିଯୋଗ କରିଥିବା ପ୍ରକାଶ। କୁମାରସ୍ୱାମୀଙ୍କ ଏହି ଅଭିଯୋଗକୁ ବେଙ୍ଗାଲୁରୁରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍‍ଡେକର ଅସ୍ୱୀକାର କରିଛନ୍ତି। ଏହା କାଳ୍ପନିକ ବୋଲି ସେ କହିଛନ୍ତି।
ଘୋଡ଼ାବେପାରକୁ ଅଟକାଇବା ପାଇଁ କୁମାରସ୍ୱାମୀ ତାଙ୍କ ଦଳର ସମସ୍ତ ୩୮ ଏବଂ କଂଗ୍ରେସ ୭୮ ମଧ୍ୟରୁ ୭୫ ବିଧୟାକଙ୍କୁ ନେଇ ରାଜଭବନରେ ପହଞ୍ଚିଥିଲା। କଂଗ୍ରେସ-ଜେଡି(ଏସ୍‍) ରାଜ୍ୟପାଳଙ୍କ ସମ୍ମୁଖରେ ବିଧାୟକଙ୍କ ପରେଡ୍‍ କରାଇବାକୁ ଦାବି କରିଥିଲେ ଓ ସେମାନଙ୍କ ପାଖରେ ୧୧୭ ବିଧାୟକଙ୍କ ସମର୍ଥନ ରହିଥିବା କହିଥିଲେ। ଅପରପକ୍ଷରେ ରାଜ୍ୟପାଳ କଂଗ୍ରେସ-ଜେଡି(ଏସ୍‍) ବିଧାୟକଙ୍କୁ ଡକାଯାଇ ନାହିଁ; ସେମାନେ ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ରାଜ୍ୟପାଳଙ୍କୁ ଭେଟି ଜେଡି(ଏସ୍‍)-କଂଗ୍ରେସ ମେଣ୍ଟ ପକ୍ଷରୁ କୁମାରସ୍ୱାମୀ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍‍ ୟେଦୁରାପ୍ପାଙ୍କ ଦାବିକୁ ବିଚାରକୁ ନେଇଛନ୍ତି।
ସରକାର ଗଠନ ପାଇଁ ବିଜେପିକୁ ୮ ବିଧାୟକ ନିଅଣ୍ଟ ପଡ଼ୁଥିବାବେଳେ ସଂଖ୍ୟାଗରିଷ୍ଠା ଯୋଗାଡ଼ ପାଇଁ ତିନି ଜଣ କେନ୍ଦ୍ରମନ୍ତ୍ରୀ ବେଙ୍ଗାଲୁରୁରେ ଡେରା ପକାଇଛନ୍ତି। କର୍ଣ୍ଣାଟକ ବିଜେପି ପ୍ରଭାରୀ ପି. ମୂରଲିଧର ରାଓ ବୁଧବାର ସକାଳେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଭେଟି ଆଲୋଚନା କରିବା ପରେ ବେଙ୍ଗାଲୁରୁ ଫେରିଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ଦଳ ଅତୀତର ‘ଅପରେସନ୍‍ କମଲ’ ଯୋଜନାର ପୁନରାବୃତ୍ତି ଘଟାଇପାରେ ବୋଲି କୁହାଯାଉଛି। ସରକାର ଗଠନ ପାଇଁ ୨୦୦୮ରେ ୟେଦୁରାପ୍ପା ହିଁ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ମଧ୍ୟାହ୍ନାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ୭୮ମଧ୍ୟରୁ ୬୬ବିଧାୟକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ଅନୁପସ୍ଥିତି ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଅବଶ୍ୟ ପରେ ତିନି ଜଣଙ୍କୁ ଛାଡ଼ି ସମସ୍ତ ବିଧାୟକ ବିମାନ ଯୋଗେ ରାଜଭବନରେ ପହଞ୍ଚିଥିଲେ। ଏହି ତିନିଜଣ ବିଧାୟକ ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ସେମାନେ ବିଜେପିକୁ ସମର୍ଥନ କରୁଥିବା ଆଲୋଚନା ହେଉଛି। ସେପଟେ ଜେଡିଏସ୍‍ର ବିଧାୟକ ଦଳ ବୈଠକରେ ୨ ବିଧାୟକ ଅନୁପସ୍ଥିତ ଥିବା ଜଣାପଡିଛି। ଜଣେ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ସେହିପରି ଏଚ୍‍.ଡି କୁମାରସ୍ୱାମୀ ଦୁଇଟି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ବିଜେପି ରାଜ୍ୟପାଳଙ୍କ ଜରିଆରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ କୁମାରସ୍ୱାମୀଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି।
ଉଲ୍ଲେଖ ଯେ ନିର୍ବାଚନ ଫଳାଫଳ ଅନୁସାରେ କୌଣସି ରାଜନୈତିକ ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିନାହିଁ। ମୋଟ ୨୨୨ଆସନରୁ ବିଜେପିକୁ ୧୦୪ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ୭୮ ଓ ଜେଡି(ଏସ୍‍)କୁ ୩୮, ସ୍ୱାଧୀନ ଓ ଅନ୍ୟାନ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି।

Leave A Reply