କାର୍ଗିଲ ଯୁଦ୍ଧରେ ପାକ୍‍ ସେନାର ପଛ ଘୁଞ୍ଚା ପାଇଁ ନୱାଜ ସରିଫ ଦାୟୀ : ମୁଶାରଫ

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରେଭେଜ ମୁଶାରଫ ୧୯୯୯ କାର୍ଗିଲ ଯୁଦ୍ଧରେ ପାକ୍‍ ସେନାର ପଛ ଘୁଞ୍ଚା ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦାୟୀ କରିଛନ୍ତି। ୨୬/୧୧ ମୁମ୍ବଇ ଆକ୍ରମଣ ମାମଲାରେ ବୟାନକୁ ନେଇ ନୱାଜ ସରିଫଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହର ମୋକଦ୍ଦମା କରିବାକୁ ସେ ଦାବି କରିଛନ୍ତି। ଉଲ୍ଲେଖ ଯେ କାର୍ଗିଲ ଯୁଦ୍ଧ ସମୟରେ ମୁଶାରଫ ପାକିସ୍ତାନ ସେନା ପ୍ରମୁଖ ଥିଲେ। ନୱାଜ ସରିଫଙ୍କ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ମନ୍ତବ୍ୟକୁ ନେଇ ମୁଶାରଫ ନିଜ ପ୍ରତିକ୍ରିୟା ରଖିବା ସମୟରେ କାର୍ଗିଲ ଯୁଦ୍ଧ ବିଷୟରେ ଉଲ୍ଲେଖ କରିଥିଲେ। ମୁଶାରଫ କହିଥିଲେ ଯେ ଏହି ଯୁଦ୍ଧରେ ପାଞ୍ଚଟି ସ୍ଥାନରେ ପାକିସ୍ତାନ ସେନା ଦୃଢ ସ୍ଥିତିରେ ଥିଲା। ଏନେଇ ସେତେବେଳର ପ୍ରଧାନମନ୍ତ୍ରୀ ନୱାଜଙ୍କୁ ଅବଗତ କରାଯାଇଥିଲା। ମାତ୍ର ସେ ସେନାକୁ ଫେରି ଆସିବା ନେଇ ବାରମ୍ବାର ପ୍ରଶ୍ନ କରିଥିଲେ। ତତ୍କାଳୀନ ସିନେଟର ରାଜା ଜାଫାରୁଲ ହକ୍‍, ତତ୍କାଳୀନ ଗୃହ ମନ୍ତ୍ରୀ ଚୌଧୁରୀ ଶୁଜାତ ସେନା ଫେରାଇ ନେବାକୁ ବିରୋଧ କରିଥିଲେ। ଆମେରିକାରୁ ଫେରିବା ପରେ ସରିଫ ସେନା ଫେରାଇ ଆଣିବାକୁ ନିର୍ଦେଶ ଦେଇଥିଲେ। ସେତେବେଳେ ସରିଫ ଭାରତ ସରକାରଙ୍କ ଚାପରେ ଥିଲେ ଓ ଏହି ନିଷ୍ପତ୍ତି ନେଇଥିଲେ ବୋଲି ମୁଶାରଫ କହିଛନ୍ତି। ପାକିସ୍ତାନରୁ ପଳାତକ ଘୋଷିତ ମୁଶାରଫ ଏବେ ଦୁବାଇରେ ରହୁଛନ୍ତି।

Leave A Reply