ଓଭର ବ୍ରିଜ୍‍ ଭୁଶୁଡ଼ି ୨୦ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାଣାସୀଠାରେ ଏକ ନିର୍ମାଣଧୀନ ଓଭର ବ୍ରିଜ୍‍ର କିଛି ଅଂଶ ଭୁଶୁଡ଼ି ପଡିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କ୍ୟାଣ୍ଟ ରେଳ ଷ୍ଟେସନ ପାଖରେ ଏହି ଓଭର ବ୍ରିଜ୍‍ ନିର୍ମାଣ ଚାଲିଥିଲା। ପ୍ରକାଶ ଯେ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅଟେ। ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ସୂଚନା ଅନୁସାରେ ଏହି ନିର୍ମାଣଧୀନ ଫ୍ଲାଇଓଭର ବ୍ରିଜ୍‍ର ଏକ ସ୍ଲାପ୍‍ ଭୁଶୁଡ଼ି ପଡିଥିଲା। ସ୍ଲାପ ଭଗ୍ନାଂଶତଳେ କାର, ସିଟି ବସ୍, ଅଟୋ ଭଳି ଅନେକ ଗାଡ଼ି ଓ ୫୦ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ଫଳରେ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି। ଦୁର୍ଘଟଣାସ୍ଥଳରେ ଏନ୍‍ଡିଆରଏଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ପରିସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦେଶ ଦେଇଛନ୍ତି। ଏ କ୍ରମରେ ଯୋଗୀ ଆଦିତ୍ୟନାଥ ଏକ ତଦନ୍ତକାରୀ ଦଳ ଗଠନ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । ଉଲ୍ଲେଖ ଯେ କ୍ୟାଣ୍ଟ ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ଫ୍ଲାଇଓଭରର ନିର୍ମାଣ କାର୍ଯ୍ୟ ଚାଲିଛି। ନିକଟରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏଠାକୁ ଆସି ଶୀଘ୍ର ଓଭର ବ୍ରିଜ୍‍ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଉତ୍ତରପ୍ରଦେଶ ସେତୁ ନିଗମ ଅଧୀନରେ ୭୭୪୧.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଓଭର ବ୍ରିଜ୍‍ର ନିର୍ମାଣ କାର୍ଯ୍ୟ ହେଉଛି ।

Leave A Reply