କାବେରୀ ଜଳ ଆବଣ୍ଟନ ଯୋଜନା ପ୍ରସଙ୍ଗ : ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ ଦାଖଲ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମାପ୍ତ ହେବାର ଦିନକ ପରେ ସୋମବାର କେନ୍ଦ୍ର ସରକାର ପ୍ରସ୍ତାବିତ କାବେରୀ ପରିଚାଳନା ଯୋଜନା ସମ୍ବନ୍ଧୀୟ ସତ୍ୟପାଠ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‌ ଖାନ୍‌ୱିଲକର ଏବଂ ଡି. ୱାଇ ଚନ୍ଦ୍ରଚୂଡଙ୍କ ପୀଠରେ କେନ୍ଦ୍ର ଜଳ ସମ୍ପଦ ବିଭାଗ ସଚିବ ଏହି ସତ୍ୟପାଠ ଦାଖଲ କରିବା ସହିତ ପ୍ରସ୍ତାବିତ ଯୋଜନାକୁ ଅନୁମୋଦନ କରିବା ପାଇଁ ନିବେଦନ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଜଳ ଆବଣ୍ଟନ ନିମନ୍ତେ ଗଠିତ ଜଳକୁ ବୋର୍ଡ ବା କମିଟି ଅଥବା କର୍ତ୍ତୃପକ୍ଷ କୁହାଯିବ ତାହା ସ୍ଥିର କରିବାକୁ ପୀଠଙ୍କୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି। କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ପୁଡ଼ୁଚେରୀ ମଧ୍ୟରେ ନିର୍ବିବାଦୀୟ ଭାବେ କାବେରୀ ଜଳ ଆବଣ୍ଟନ ସମ୍ବନ୍ଧରେ ଫେବୃଆରୀ ୧୬ରେ ସର୍ବୋଚ୍ଚ ଅଦାଲତ ଯେଉଁ ରାୟ ଦେଇଥିଲେ କେନ୍ଦ୍ର ସରକାର ତାହାର ଉଚିତ୍‌ ଅନୁପାଳନ କରିଛନ୍ତି କି ନାହିଁ ତାହା ପ୍ରଥମେ ସମୀକ୍ଷା କରାଯିବ; ପରେ ପ୍ରସ୍ତାବିତ ଯୋଜନାକୁ ଅନୁମୋଦନ କରାଯିବ ବୋଲି ପୀଠ କହିଛନ୍ତି। ଏଥିସହ ଏହି ପ୍ରସ୍ତାବିତ ଯୋଜନାରେ ଯଦି କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ସେଥିରେ କୌଣସି ପରିବର୍ତ୍ତନ କରିବାକୁ ପୀଠ ମନା କରିଦେଇଛନ୍ତି। କିନ୍ତୁ ଅନୁମୋଦନ ପୂର୍ବରୁ ଚିଠାପ୍ରସ୍ତାବ ସମ୍ପର୍କରେ ସବିଶେଷ ସମୀକ୍ଷା କରିବା ଲାଗି କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ପୁଡ଼ୁଚେରୀକୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରାଯିବ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ଏହି ଯୋଜନା ସମ୍ବନ୍ଧରେ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ତାହାକୁ ପାଳନ କରିବାକୁ ବାଧ୍ୟ ହେବେ ବୋଲି ପୀଠ କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ କରିବାକୁ ଖଣ୍ଡପୀଠ ସ୍ଥିର କରିଛନ୍ତି।
ଫେବୃଆରୀ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ କର୍ଣ୍ଣାଟକକୁ କାବେରୀ ନଦୀର ୧୪.୭୫ ଟିଏମ୍‌ସିଫୁଟ୍‌ ଅଧିକ ଜଳ ପ୍ରଦାନ କରିବାକୁ ନିର୍ଦେଶ ଦେବା ସହିତ ତାମିଲନାଡୁକୁ ଜଳ ଆବଣ୍ଟନ ପରିମାଣ ହ୍ରାସ କରିଥିଲେ। କିନ୍ତୁ ପାନୀୟ ଜଳ ଆବଶ୍ୟକତା ପୂରଣ ନିମନ୍ତେ ତାମିଲନାଡୁ କାବେରୀ ଉପତ୍ୟକାରୁ ଅଧିକ ୧୦ ଟିଏମ୍‌ସି ଫୁଟ୍‌ ଜଳ ଉତ୍ତୋଳନ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏଥିଅନୁଯାୟୀ ଜଳ ଆବଣ୍ଟନ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ପ୍ରଦତ୍ତ ସମୟସୀମା ମଧ୍ୟରେ ଚିଠାପ୍ରସ୍ତାବ ଦାଖଲ କରିବାକୁ କେନ୍ଦ୍ର ବିଫଳ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ଅଦାଲତ ଅବମାନନା ବୋଲି ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଖଣ୍ଡପୀଠ ମେ’ ୮ରେ କଡ଼ା ଭର୍ତ୍ସନା କରିଥିଲେ। ଏପରିକି ଆଗକୁ ନିର୍ବାଚନ ଥିବାରୁ କର୍ଣ୍ଣାଟକବାସୀଙ୍କ ସମ୍ମୁଖରେ ନିଜ ଭାବମୂର୍ତ୍ତି କ୍ଷୁଣ୍ଣ ନ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଜାଣିଶୁଣି ସତ୍ୟପାଠ ଦାଖଲ କରୁନାହାନ୍ତି ବୋଲି ତାମିଲନାଡୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଯୁକ୍ତି ବାଢିଥିଲେ। ମାତ୍ର ଏଭଳି ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଥିବାରୁ ଏହି ଯୋଜନାର ଚିଠାପ୍ରସ୍ତାବକୁ ମଞ୍ଜୁରି ମିଳି ପରି ନ ଥିବା ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ସହ ଅଧିକ ସମୟ ଲୋଡିଥିଲେ।

Leave A Reply