ଅଡ଼ୁଆରେ ନୱାଜ୍‍, ଆଜି ବସୁଛି ପାକିସ୍ତାନୀ ସେନା ବୈଠକ

0

ଇସ୍‍ଲାମବାଦ୍‍: ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ପରେ ଅଡ଼ୁଆରେ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍। ଉଭୟ ବିରୋଧୀ ଓ ସରିଫ୍‍ଙ୍କ ଦଳ ପାକିସ୍ତାନ ମୁସ୍‍ଲିମ୍‍ ଲିଗ୍‍(ଏନ୍‍) ତରଫରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନ ତେହେରିକ୍‍-ଇ- ଇନ୍‍ସାଫ୍‍ର ମୁଖ୍ୟ ଇମ୍ରାନ ଖାନ୍‍ ନୱାଜ ସରିଫ୍‍ଙ୍କୁ ଆଧୁନିକ ଯୁଗର ମୀର ଜାଫ୍‍ର ଭାବେ ଅଭିହିତ କରିଛନ୍ତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷା କହୁଛନ୍ତି ବୋଲି ସମାଲୋଚନା କରିଛନ୍ତି।
‘ଡନ୍‍’ ପତ୍ରିକାକୁ ଏକ ସାକ୍ଷାତକାର ଅବସରରେ ସରିଫ୍‍ ମୁମ୍ବଇ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ଥିବା ସୂଚନା ଦେବା ସହିତ ପାକିସ୍ତାନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପାକିସ୍ତାନରେ ଏକାଧିକ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ବେଳେ ସେମାନଙ୍କୁ ସୀମାପାର ଆତଙ୍କ ସୃଷ୍ଟି ପାଇଁ ପାକିସ୍ତାନ ଅନୁମତି ଦେବାର ଯଥାର୍ଥତା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ ସରିଫ୍‍। ଅପରପକ୍ଷରେ ତାଙ୍କ ମନ୍ତବ୍ୟକୁ ଭୁଲ୍‍ ତର୍ଜମା କରାଯାଇ ଉପସ୍ଥାପନା କରାଯାଇଛି ବୋଲି ସରିଫ୍‍ଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ପାକିସ୍ତାନ ସେନା ଅଧିକାରୀମାନେ ଆଜି ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ। ସେଠାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ କେ ଆବାସୀଙ୍କ ନିର୍ଦେଶରେ ଜାତୀୟ ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେବ।

Leave A Reply