ହାତୀକୁ ବଞ୍ଚାଇବ ମାଛି: ରେଳ ବିଭାଗର ନୂଆ ଉପାୟ

0

ହାତୀ ଭଳି ବିଶାଳକାୟ ପ୍ରାଣୀକୁ ବଞ୍ଚାଇବ ମାଛି । କୌତୁହଳ ଲାଗୁଥିଲେ ବି କଥାଟା ସତ । ଗତ କିଛି ବର୍ଷ ମଧ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଟ୍ରେନ୍ ଧକ୍କାରେ ଅଧିକ ସଂଖ୍ୟକ ହାତୀଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟରୁ ଜଣାଯାଇଛି । ତେଣୁ ଟ୍ରେନ୍ ଧକ୍କାରୁ ହାତୀ ପଲଙ୍କୁ ବଞ୍ଚାଇବା ପାଇଁ ଉତ୍ତର-ପୂର୍ବ ରେଳଡିଭିଜନ ଏହି ନୂଆ ଉପାୟ ଅବଲମ୍ବନ କରିଛି ।

ପଶୁପକ୍ଷୀଙ୍କ ଜୀବନର ଯେ ମୂଲ୍ୟ ଅଛି ଓ ପ୍ରକୃତିର ସେମାନେ ହେଲେ ଅବିଚ୍ଛିନ୍ନ ଅଙ୍ଗ, ଏହି କଥା ପ୍ରକାଶ କରିଛନ୍ତି ଉତ୍ତର-ପୂର୍ବ ରେଳବିଭାଗ ମୁଖ୍ୟ କର୍ତ୍ତୃପକ୍ଷ । ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳର ରେଳ ଧାରଣାରେ ସଂଖ୍ୟାଧିକ ହାତୀ ରେଳଗାଡ଼ିରେ ଧକ୍କା ଖାଇ ପ୍ରାଣ ହରାଇଛନ୍ତି। ଦୁର୍ଗମ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏହି ରେଳପଥରେ ବନ୍ୟ ଜନ୍ତୁ ଯା’-ଆସ କରିବା ସାଧାରଣ ତଥା ସ୍ବାଭାବିକ କଥା। ତେବେ ହାତୀ ଭଳି ବିଶାଳକାୟ ପ୍ରାଣୀଟି ତୁରନ୍ତ ରେଳଧାରଣା ଅତିକ୍ରମ କରିପାରିନଥାଏ। ପଶୁଟି ପ୍ରାଣ ହରାଇବା ସହ ରେଳଯାତ୍ରୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେବାର ଆଶଙ୍କା ରହିିଛି। ଏଣୁ ବିଭିନ୍ନ ପ୍ରକାର ଅନୁଧ୍ୟାନ କରିବା ପରେ ଶେଷରେ ଉତ୍ତର-ପୂର୍ବ ରେଳବିଭାଗ ସୁନ୍ଦର ପଦକ୍ଷେପ ନେଇଛି।

ମାଛିଙ୍କ ଗୁଣୁଗୁଣୁ ଶବ୍ଦକୁ ହାତୀମାନେ ଭୀଷଣ ଭାବେ ବିରକ୍ତ ହୁଅନ୍ତି। ମାଛି ପଲ ଥିବା ସ୍ଥାନଠାରୁ ଯଥେଷ୍ଟ ଦୂରତାରେ ରହନ୍ତି ହାତୀପଲ। ଏଣୁ ଏହାକୁ ହିଁ ଅସ୍ତ୍ର ଭାବେ ପ୍ରୟୋଗ କରିଥିଲେ ରେଳ କର୍ତ୍ତୃପକ୍ଷ। ଇଣ୍ଟରନେଟରୁ ମାଛିଙ୍କ ଗୁଣୁଗୁଣୁ ଶବ୍ଦ ରେକର୍ଡିଂ କରି ବଡ଼ବଡ଼ ଡାକବାଜି ଯନ୍ତ୍ରରେ ଏହାକୁ ଖଞ୍ଜି ବଣଜଙ୍ଗଲର ରେଳ ଧାରଣା ନିକଟରେ ଥିବା ଖୁଣ୍ଟ ଓ ଗଛରେ ଏସବୁ ଖଞ୍ଜିଦେଇଛନ୍ତି। ଗତ କିଛି ମାସର ଅନୁଧ୍ୟାନରୁ ପ୍ରକାଶ ଯେ ହାତୀଙ୍କ ମୃତ୍ୟୁ ସଂଖ୍ୟା ଏହି ଅଞ୍ଚଳରେ ହ୍ରାସ ପାଇଛି। ସର୍ବଭାରତୀୟ ସ୍ତରରେ ଉତ୍ତର-ପୂର୍ବ ରେଳବିଭାଗର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରାଯାଇଛି।

Leave A Reply