ଡୋଘାଂଇ (କୋରିଆ) : ଦକ୍ଷିଣ କୋରିଆର ଡୋଘାଂଇଠାରେ ଆରମ୍ଭ ହୋଇଥିବା ୫ମ ମହିଳା ଏସୀୟ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଭାରତ ତାହାର ଅଭିଯାନ ଆରମ୍ଭ କରିଛି। ତାରକା ଫରୱାର୍ଡ ନବନୀତ୍ଙ୍କ ହ୍ୟାଟ୍ରିକ ବଳରେ ରବିବାର ଖେଳାଯାଇଥିବା ଏହି ଉଦ୍ଘାଟନୀ ମ୍ୟାଚରେ ଭାରତ ୪-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତକୁ ୩ ପଏଣ୍ଟ ମିଳିଛି। ଆସନ୍ତା ୧୬ରେ ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ଚୀନକୁ ଭେଟିବ।
ସନ୍ରାଇଜ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ୱାର୍ଟରରେ ବନ୍ଦନା କାଟାରିଆ ଓ ଲିଲିମା ମିଞ୍ଜ୍ ଯୋଡି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଜାପାନ ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ୭ମ ମିନିଟରେ ବନ୍ଦନାଙ୍କ ନିକଟରୁ ପାଇଥିବା ପାସ୍କୁ ଜାପାନ ଗୋଲପୋଷ୍ଟ ମଧ୍ୟକୁ ପଠାଇ ନବନୀତ୍ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଜାପାନୀ ଖେଳାଳି ଗୋଲ ପରିଶୋଧ କରିବାକୁ ପ୍ରବଳ ଉଦ୍ୟମ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜାପାନକୁ କ୍ରମାଗତ ତିନିଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଅଧିନାୟିକା ସୁନିତା ଲାକ୍ରାଙ୍କ ନେତୃତ୍ୱରେ ଭାରତୀୟ ରକ୍ଷଣଭାଗ ଏହି ଉଦ୍ୟମଗୁଡିକୁ ବିଫଳ କରିଥିଲେ। ଏହି କ୍ୱାର୍ଟରର ୨୫ ମିନିଟରେ ଜାପାନ ଡିଫେଣ୍ଡରଙ୍କ ତ୍ରୁଟିପୂର୍ଣ୍ଣ ଖେଳ ଯୋଗୁଁ ଭାରତ ଆଉ ଏକ ଗୋଲ ଦେବାରେ ସଫଳ ହୋଇଥିଲା। ବନ୍ଦନାଙ୍କଠାରୁ ଚମତ୍କାର ପାସ୍ ପାଇ ନବନୀତ୍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଭାରତ ସପକ୍ଷରେ ୨-୦ ରହିଥିଲା।
ତୃତୀୟ କ୍ୱାର୍ଟରରେ ଭାରତୀୟ ଦଳ ସେମାନଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିଥିଲା। ୩୩ ମିନିଟରେ ଭାରତକୁ ଲାଗ୍ ଲାଗ୍ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଦୀପ୍ଗ୍ରେସ ଏକ୍କା ଓ ଗୁରଜିତ୍ କୌର ଏହାକୁ ଗୋଲରେ ପରିବର୍ତ୍ତନ କରିବାରେ ବିଫଳ ହେବାରୁ ଭାରତର ଗୋଲସଂଖ୍ୟା ୨-୦ରେ ଅପରିବର୍ତ୍ତିତ ରହିଥିଲା। ଏହି କ୍ୱାର୍ଟରରେ ଜାପାନ ମଧ୍ୟ ଦୁଇଟି ପେନାଲଟି କର୍ଣ୍ଣର ପାଇଥିଲା। ତେବେ ଭାରତୀୟ ଗୋଲରକ୍ଷକ ସବିତାଙ୍କ ତତ୍ପରତା ଯୋଗୁଁ ଏଗୁଡିକ କାର୍ଯ୍ୟକାରୀ ହୋଇପାରିନଥିଲା। ଚତୁର୍ଥ କ୍ୱାର୍ଟରର ୫୨ ମିନିଟରେ ଉଦିତା ଦୁଇଜଣ ଜାପାନୀ ଖେଳାଳିଙ୍କୁ ପରାସ୍ତ କରି ଅନୁପା ବାର୍ଲାଙ୍କ ନିକଟକୁ ବଲ ପଠାଇଥିଲେ। ଅନୁପା କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଜାପାନ ଗୋଲପୋଷ୍ଟ ମଧ୍ୟକୁ ପଠାଇ ଭାରତକୁ ୩-୦ରେ ଆଗୁଆ କରିଥିଲେ। ୫୪ ମିନିଟରେ ଜାପାନକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା ବେକାର ଯାଇଥିଲା। ୫୫ ମିନିଟରେ ନବନିତ୍ ଦଳ ପକ୍ଷରୁ ଚତୁର୍ଥ ତଥା ନିଜର ହ୍ୟାଟ୍ରିକ ଗୋଲ ସ୍କୋର କରିବା ସହ ଭାରତକୁ ୪-୦ରେ ଆଗୁଆ କରିଥିଲେ। ୫୮ ମିନିଟରେ ଆକି ୟାମାଦା ଜାପାନ ପକ୍ଷରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। ନବନୀତ୍ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଆୟୋଜକ କୋରିଆ ୩-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି।
ଜାପାନକୁ ୪-୧ରେ ହରାଇଲା ଭାରତ
Popular Categories



