ନିମାପଡ଼ା ପରେ ନୟାପଲ୍ଲୀ : ଯୁବତୀଙ୍କୁ ପିଟି ବଦଳିଲେ ଥାନା ଅଧିକାରୀ

0

ଭୁବନେଶ୍ୱର : ନିମାପଡ଼ାରେ ବୃଦ୍ଧାଙ୍କୁ ମାଡ଼ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା ସାମ୍‍ନାକୁ ଆସିଛି। ଭୁବନେଶ୍ୱର ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏ ନେଇ ଦୁଇ ଭଉଣୀ ଅଭିଯୋଗ କରିଛନ୍ତି। ବିଶେଷକରି ମାଡ଼ମରା ସମ୍ପର୍କରେ ଉଭୟଙ୍କ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷରେ ମହିଳାଙ୍କୁ ନିର୍ମମ ଭାବେ ପିଟିବା ଭଳି ଅଭାବନୀୟ ଘଟଣାକୁ ବିରୋଧ କରି ବିଜେପି ଓ କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭିଯୋଗର ଗୁରୁତ୍ୱ ଉପଲବ୍ଧ କରି ପୁଲିସ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯିବା ସହ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ରିଜର୍ଭକୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିବା ଆଶଙ୍କା ରହିଥିବାରୁ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିବାବେଳେ କ୍ୟାପିଟାଲ୍‍ ଥାନାର ଅତିରିକ୍ତ ଆଇଆଇସି ଉମା ନାୟକଙ୍କୁ ଅସ୍ଥାୟୀ ଭାବେ
ନୂଆପଲ୍ଲୀ ଥାନାରେ ଅବସ୍ଥାପିତ କରାଯାଇଛି।

ନୂଆପଲ୍ଲୀ ବେହେରା ସାହିର ୨ ଭଉଣୀଙ୍କୁ ପୁଲିସ ଥାର୍ଡ ଡିଗ୍ରୀ ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ଭିଡିଓ ଏବଂ ଫଟୋ ପ୍ରସାରିତ ହୋଇଥିଲା। ଏହି ଘଟଣା ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଅବଗତ ହେବା ପରେ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଦୁଇ ଭଉଣୀ ଆହତ ହୋଇଥିଲେ। ଦୁଇ ପକ୍ଷର ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା। ଘଟଣାସ୍ଥଳରୁ ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରି ୬ ତାରିଖରେ କୋର୍ଟ ଚାଲାଣ କରିଥିଲା। ଘଟଣାସ୍ଥଳରେ ଦୁଇ ଭଉଣୀଙ୍କ ଆକ୍ରମଣରେ ମହିଳା ଏସ୍‍ଆଇ ମିନତୀ ନାୟକ ଓ ସସ୍ମିତା ଧଳ ଆହତ ହୋଇଥିଲେ। ତେଣୁ ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଥିଲା।
ଗତକାଲି ଜାମିନରେ ଆସିବା ପରେ ଦୁଇ ଭଉଣୀ ସେମାନଙ୍କୁ ଥାନାରେ କିଭଳି ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଥିଲା ତା’ର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିଲେ। ଏହା ପରେ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Leave A Reply