ଘରୋଇ କମ୍ପାନୀଠାରୁ ଭିଭିପ୍ୟାଟ୍‌ କିଣିବାକୁ ଚାହୁଁଥିଲା କେନ୍ଦ୍ର

0

ନୂଆଦିଲ୍ଲୀ : ନିର୍ବାଚନ ବେଳେ ଇଭିଏମ୍‌ରେ ବ୍ୟବହୃତ ଭିଭିପ୍ୟାଟ୍‌ (ଭୋଟର୍‌ ଭେରିଫାଏଡ୍‌ ଅଡିଟ୍‌ ଟ୍ରେଲ୍‌) ମେସିନ୍‌ଗୁଡିକ ଘରୋଇ କମ୍ପାନୀଗୁଡିକଠାରୁ କ୍ରୟ କରିବାକୁ ଏକଦା କେନ୍ଦ୍ର ସରକାର ଚାହୁଁଥିଲେ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନ (ଇସି)ଙ୍କୁ ପ୍ରସ୍ତାବ ମଧ୍ୟ ଦିଅଯାଇଥିଲା। ମାତ୍ର ଭିଭିପ୍ୟାଟ୍‌ ନିର୍ମାଣ କାର୍ଯ୍ୟ ଘରୋଇ କମ୍ପାନୀ ଉପରେ ନ୍ୟସ୍ତ କରାଯିବା ଦ୍ୱାରା ଉକ୍ତ ମେସିନ୍‌ରେ ଜାଲିଆତି ହେବାର ଆଶଙ୍କା ଥିବା ଦର୍ଶାଇ ଇସି କେନ୍ଦ୍ରର ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ। ଇଂରାଜୀ ଦୈନିକ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ହୋଇଥିବା ଏକ ଆବେଦନ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ଆବେଦନର ଉତ୍ତରରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ୨୦୧୬ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ବନ୍ଧରେ ତିନି ଥର ଚିଠି ଲେଖାଯାଇ ଇସିଙ୍କ ମତାମତ ଲୋଡାଯାଇଥିଲା। ୨୦୧୬ ସେପ୍ଟେମ୍ବର ୧୯ରେ ଇସି ଉକ୍ତ ଚିଠିଗୁଡିକର ଉତ୍ତର ଦେଇଥିଲେ। ସେ ସମୟରେ ନଜିସ୍‌ ଜାଇଦି ମୁଖ୍ୟ ନିର୍ବାଚନ କମିସନ ଥିଲେ। ଇସି ଲେଖିଥିଲେ, ଭିଭିପ୍ୟାଟ୍‌ ଇଭିଏମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଅଂଶ। ଘରୋଇ କମ୍ପାନୀଗୁଡିକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଗଲେ ଭୋଟର୍‌ଙ୍କ ବିଶ୍ୱାସକୁ ଆଘାତ ଲାଗିବ। ଏଥିସହ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ।
ଅନ୍ୟପଟେ ଇଣ୍ଡିଆନ୍‌ ଏକ୍ସପ୍ରେସ ଏହାର ରିପୋର୍ଟରେ ଦର୍ଶାଇଛି, ଭିଭିପ୍ୟାଟ୍‌କୁ ପର୍ଯ୍ୟାୟ କ୍ରମେ ନିର୍ବାଚନରେ ବ୍ୟବହାର କରିବା ନିମନ୍ତେ ୨୦୧୩ରେ ସର୍ବୋଚ୍ଚ ଅଦାଲତ ଇସିଙ୍କୁ ନିର୍ଦେଶ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ସୁଦ୍ଧା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମେସିନ୍‌ର ବ୍ୟବହାର କରାଯିବା ଉପରେ ଇସି ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଇସିଙ୍କୁ ଉପରୋକ୍ତ ପରାମର୍ଶ ଦେଇଥିଲେ। ଆବଶ୍ୟକ ସଂଖ୍ୟକ ଭିଭିପ୍ୟାଟ୍‌ ନିର୍ମାଣ ଲାଗି ଘରୋଇ କମ୍ପାନୀର ଉପଯୋଗ ଦ୍ୱାରା ଉପଯୁକ୍ତ ସମୟ ମଧ୍ୟରେ ଆବଶ୍ୟକତା ପୂରଣ ହୋଇପାରିବ। ମେସିନ୍‌ର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି କେନ୍ଦ୍ର କ୍ୟାବିନେଟ୍‌ ୨୦୧୬ ଜୁଲାଇ ୨୦ରେ ଇସିଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇଥିଲା। ୨୦୧୬ ଜୁଲାଇ ୧୧ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଥମଥର ଲାଗି ଏଭଳି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଇସି, ଆଇନ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଆଇନ ମନ୍ତ୍ରଣାଳୟର ପ୍ରତିନିଧି ଘରୋଇ କମ୍ପାନୀ ଦ୍ୱାରା ଭିଭିପ୍ୟାଟ୍‌ ନିର୍ମାଣ ପ୍ରସ୍ତାବ ଉପରେ ମତାମତ ଦେବାକୁ ଇସିଙ୍କ ଉପରେ ବାରମ୍ବାର ଚାପ ପକାଇଥିଲେ। ଏହି ପ୍ରସଙ୍ଗରେ ପ୍ରାଦ୍ୟୋଗିକ ବିଶେଷଜ୍ଞ କମିଟି (ଟିଇସି)ର ମତାମତ ମଧ୍ୟ ମନ୍ତ୍ରଣାଳୟ ଜାଣିବାକୁ ଚାହିଁଥଲା।

Leave A Reply