ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ବିରାଟଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ୱିକେଟରେ ବିଜୟୀ

0

ମୋହାଲି:ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଓପ୍‌ନର ଶିଖର ଧାୱନଙ୍କ ୪୦ ରନ୍‌ର ଇନିଂସ ବଳରେ ବୁଧବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ରବିବାର ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଖେଳାଯିବ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂକରି କ୍ବିଣ୍ଟନ୍ ଡିକ୍‌ଙ୍କ ଅର୍ଦ୍ଧଶତକ ଓ ତେମ୍ବା ବାଭୁମାଙ୍କ ୪୯ ରନ୍ ବଳରେ ୨୦ ଓଭର ଶେଷରେ ୫ ୱିକେଟ ହରାଇ ୧୪୯ ରନ୍ କରିଥିଲା। ପରେ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧ ଓଭର ବାକିଥାଇ ଭାରତ ୩ ୱିକେଟ ହରାଇ ଜିତିଥିଲା।
୧୫୦ ରନ୍ ଲକ୍ଷ୍ୟରେ ଭାରତ ଅତି ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ୩ ଓଭରରେ ୩୦ ରନ୍ କରିବା ପରେ ୪ର୍ଥ ଓଭରେ ଆନ୍ଦିଲେ ଫେଲୁକ୍ବାୟୋ ଏହି ଯୋଡ଼ି ଭାଙ୍ଗି ଦେଇଥିଲେ। ତେବେ ଅଧିନାୟକ ବିରାଟ କୋହଲି କ୍ରିଜ୍‌କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳି ଚାଲିଥିଲେ। ୮ ଓଭରରେ ଧାୱନ-କୋହଲି ଯୋଡ଼ି ୨ୟ ୱିକେଟ ପାଇଁ ୬୧ ରନ୍ ଯୋଗ କରିଥିଲେ। ବାମହାତି ଧାୱନ୍ ୩୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୦ ରନ୍‌କରି ବିଦାୟ ନେଇଥିଲେ। ଋଷଭ ପନ୍ତ୍ ପୁଣିଥରେ ସୁଯୋଗ ହାତଛଡ଼ା କରି ୱିକେଟ ଫିଙ୍ଗିଥିଲେ। ପନ୍ତ୍ ମାତ୍ର ୪ ରନ୍ କରିଥିଲେ। ପରେ କୋହଲି ଓ ଶ୍ରେୟାସ ଆୟର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଆୟର ଅପରାଜିତ ୧୬ ରନ୍ କରିଥିଲେ। କୋହଲି ୫୨ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୭୨ ରନ୍‌କରି ଅପରାଜିତ ଥିଲେ।
ଭାରତ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ୨ ଓଭରରେ ଦକ୍ଷିଣ ଆଫ୍ରିକା ୧୧ ରନ୍ କରିଥିବା ବେଳେ ୩ୟ ଓଭରର ପ୍ରଥମ ୩ଟି ବଲ୍‌ରେ ଚୌକାମାରି ଭାରତକୁ ଚିନ୍ତାରେ ପକାଇଥିଲେ ଓପ୍‌ନର ତଥା ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ବିଣ୍ଟନ୍ ଡି କକ୍। ଓପ୍‌ନିଂ ଯୋଡ଼ି ୭ ଓଭରରେ ୩୧ ରନ୍ କରିବା ପରେ ରିଜା ହେଣ୍ଡ୍ରିକ୍‌ସ ୧୧ ବଲ୍‌ରୁ ୬ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଡି କକ୍ ଓ ତେମ୍ବା ବାଭୁମା ଧିରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ଘରୋଇ ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ କ୍ୟାଚ୍‌ରେ ବାମହାତି ଡି କକ୍‌ ଆଉଟ ​‌େ​‌ହାଇ ଯାଇଥିଲେ। ଆକର୍ଷଣୀୟ ବ୍ୟାଟିଂକରି ଡି କକ୍ ୩୭ ବଲ୍‌ରୁ ୮ଟି ଚୌକା ସହ ୫୨ ରନ୍‌କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ୍ ଡର୍ ଡ୍ୟୁସେନ୍‌ (୧)ଙ୍କୁ ଆଉଟ କରିବା ପାଇଁ ରବୀନ୍ଦ୍ର ଜାଡ଼େଜା ନିଜ ବୋଲିଂରେ ଦର୍ଶନୀୟ କ୍ୟାଚ୍ ନେଇଥିଲେ। ବାଭୁମା ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ବାଭୁମା ୪୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୯ ରନ୍‌କରି ଆଉଟ ହୋଇଥିଲେ। ଅଭିଜ୍ଞ ଡେଭିଡ୍‌ ମିଲରଙ୍କ ଉପରେ ଦକ୍ଷିଣ ଆଫ୍ରିକାର ଭରସା ଥିଲେ ହେଁ ଏହି ବାମହାତି ଦଳକୁ ନିରାଶ କରିଥିଲେ। ମିଲର ୧୫ ବଲ୍‌ରୁ ଗୋଟିଏ ଛକା ସହ ୧୮ ରନ୍ କରିଥିଲେ। ଶେଷ ଓଭରରେ ଦକ୍ଷିଣ ଆଫ୍ରିକା ୨ଟି ଛକା ସହ ୧୬ ରନ୍ ନେଇଥିଲେ। ଡେନ୍ ପ୍ରିଟୋରିୟସ୍ ୧୦ ଓ ଆନ୍ଦିଲେ ଫେଲୁକ୍ବାୟୋ ୮ ରନ୍‌କରି ଅପରାଜିତ ଥିଲେ। ଦୀପକ ଚହର ୨ଟି ୱିକେଟ ନେଇଥିଲେ।

kalyan agarbati
Leave A Reply