ଆବୁଧାବି/ଭୁବନେଶ୍ଵର: ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରଣାଳୟ ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ(ଇଆଇଏଲ୍)କୁ ପରିଦର୍ଶନ କରିବା ସହିତ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟି ତୈଳ, ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ରାଷ୍ଟ୍ର ସହ ଅନ୍ବେଷଣ ଓ ଉତ୍ପାଦନ କ୍ଷେତ୍ରରେ ସମୀକ୍ଷା ମଧ୍ୟ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଇଆଇଏଲ୍ କମ୍ପାନୀକୁ ପରିଦର୍ଶନ କରିବା ଅବସରରେ କହିଥିଲେ ଯେ, ଏହି କମ୍ପାନୀ ତୈଳ, ଗ୍ୟାସ ଓ ପେଟ୍ରୋକେମିକାଲ ଶିଳ୍ପକୁ କେନ୍ଦ୍ରରେ ରଖି ପ୍ରଯୁକ୍ତିବିଦ୍ୟା ଆଧାରରେ କାର୍ୟ୍ୟ କରୁଅଛି। ଏବଂ ଭାରତ ତଥା ବିଦେଶରେ ଉର୍ଜା ଭିତ୍ତିଭୂମିକୁ ବିକଶିତ କରିବା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ବୁଧବାର ଧର୍ମେନ୍ଦ୍ର ପ୍ରଧାନ ଆଜରବାଇଜାନର ଉର୍ଜାମନ୍ତ୍ରୀ ପରଭିଭ୍ ଶାହାବାଜଭଙ୍କୁ ସାକ୍ଷାତ କରିଥିଲେ। ଉଭୟେ ଭାରତୀୟ ତୈଳ କମ୍ପାନୀ ଦ୍ବାରା ଉର୍ଜା ବେପାରକୁ କିପରି ସୁଦୃଢ କରାଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ। ଏହାବ୍ୟତୀତ ଆଜରବାଇଜାନର ଅନ୍ବେଷଣ ଓ ଉତ୍ପାଦନ ଏବଂ ଏଲଏନଜି କ୍ଷେତ୍ରରେ ସହଯୋଗ କରିବା ତଥା ଭାରତୀୟ ପୁଞ୍ଜିନିବେଶ ଉପରେ ସମୀକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ସେହିପରି ଥାଇଲାଣ୍ଡର ଶକ୍ତିମନ୍ତ୍ରୀ ସୋନିଟାଟ୍ ସୋଂଟିଜୀରାୱଙ୍ଗଙ୍କୁ ପ୍ରଧାନ ଭେଟିବା ସହ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ପେଟ୍ରାଲିୟମ ଉତ୍ପାଦ ବ୍ୟାବସାୟ ବୃଦ୍ଧି ଉପରେ ଗୁରୁତ୍ଵାରୋପ କରିଥିଲେ। ଅନ୍ବେଷଣ ଓ ଉତ୍ପାଦନ କ୍ଷେତ୍ରରେ ଭାରତ ଓ ଥାଇଲାଣ୍ଡ ପୁଞ୍ଜିନିବେଶ ନେଇ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ। ଜୈବ ଇନ୍ଧନ କ୍ଷେତ୍ରରେ ଥାଇଲାଣ୍ଡର ଅଗ୍ରଣୀ ସ୍ଥିତି ଏବଂ ଭାରତର ବିଶାଳ ଜୈବ ଇନ୍ଧନ କାର୍ୟ୍ୟକ୍ରମକୁ ସ୍ବୀକୃତି ଦେବାସହ ଏଦିଗରେ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା।
ୟୁଏଇ ରାଷ୍ଟ୍ରମନ୍ତ୍ରୀ ତଥା ଏନଡିଓସିର ଅଧ୍ୟକ୍ଷ ସୁଲତାନ ମହମ୍ମଦ ଅଲ ଜାବରଙ୍କୁ ଭେଟିବା ସହ ୟୁଏଇ ଅପଷ୍ଟ୍ରିମ୍ କ୍ଷେତ୍ରରେ ଭାରତର ପୁଞ୍ଜିନିବେଶ ସମୀକ୍ଷା କରିବା ସହ ଭାରତ ଓ ୟୁଏଇ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗକୁ ବଢାଇବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଆଲୋକପାତ କରିଥିଲେ। ଇସ୍ପାତ କ୍ଷେତ୍ରରେ ମଧ୍ୟ ସହଯୋଗ ନେଇ ଉଭୟ ମନ୍ତ୍ରୀ ଗୁରୁତ୍ଵାରୋପ କରି୍ଥିଲେ। ଭାରତ ଏବଂ ୟୁଏଇ ଉର୍ଜାକ୍ଷେତ୍ରରେ ଏକ ବହୁପାକ୍ଷିକ ସମ୍ବନ୍ଧ ରହିଛି। ଏପିଆଇ କାର୍ୟ୍ୟକ୍ରମରେ ଏନଡିଓସିର ନିରନ୍ତର ଭାଗୀଦାରୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀଙ୍କୁ ଭେଟିବା ପରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।



