କଳାହାଣ୍ଡିରେ ଆଜି ନୂଆଖାଇ, ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଲାଗିଲା ନବାନ୍ନ
କଳାହାଣ୍ଡି : କଳାହାଣ୍ଡି ଜିଲାର ଭବାନୀପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଖାଇ ପାଳନ କରାଯାଉଛି । ଚଳିତ ମାସ ୩ ତାରିଖ ପଞ୍ଚମୀ ଦିନ ସମଗ୍ର ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ନୂଆଖାଇ ପର୍ବ ପାଳିତ ହୋଇ ସାରିଥିବା ବେଳେ ପ୍ରତିବର୍ଷ ଦଶମୀ ତିଥିରେ କଳାହାଣ୍ଡି ମା’ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଭୋଗ ଲାଗି କରାଯାଇଥାଏ । ଭବାନୀପାଟଣା ସମେତ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳ ମଦନପୁର, ରାମପୁର, ଲାଞ୍ଜିଗଡ଼, ଜୟପାଟଣା, ଥୁଆମୂଳ ରାମପୁର ପ୍ରଭୃତି ସ୍ଥାନରେ ଏହି ଦିନହିଁ ନୂଆଖାଇ ପର୍ବ ପାଳନ କରାଯାଇ ଥାଏ । ରବିବାର ସକାଳ ୮ଟା ୪୫ ମିନିଟରେ ମା’ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହୋଇ ସାରିଛି । ଏଥିପାଇଁ ଭବାନୀପଟଣା ସମେତ ଗଡ଼ଜାତ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି । ଘରେ ଘରେ ନୂଆଖାଇ ପାଇଁ ନୂଆ ଧାନ, କୁରେଇ ପତ୍ର ସଂଗ୍ରହ କରି ପିଠା ପଣା ନିଜ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବା ପରେ ସପରିବାର ଏକାଠି ହୋଇ ନବାନ୍ନ ଖାଇଛନ୍ତି ।