ନୟାଗଡ଼ ଡାକ୍ତରଖାନାରେ ରୋଗୀକୁ ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ
ନୟାଗଡ଼ : ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ଲାଞ୍ଚ ନେଇଥିବା ନର୍ସ ରାଜଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ଗୁରୁବାର ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ଶରଣକୁଳ ଥାନା ସୋଲାପଟା ଗାଁର କମେଶ୍ୱର ଆଚାରିଙ୍କ ପତ୍ନୀ ସନ୍ଧ୍ୟା ପ୍ରସବ ପରେ ଷ୍ଟିଚ୍ ଖୋଲିବାକୁ ଡାକ୍ତରଖାନା ଯାଇଥିଲେ। ସେଠାରେ ଥିବା ନର୍ସ ରାଜଲକ୍ଷ୍ମୀ ଏଥିପାଇଁ ତାଙ୍କୁ ୨୦୦ ଟଙ୍କା ଲାଞ୍ଚ ମାଗିଥିବା ପ୍ରସୂତିଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ସମୟର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।