ଗୋଦାବରୀ: ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୭ କୋଟି ଟଙ୍କା ଜବତ ହୋଇଛି। ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲାରେ ଏହି ଘଟଣା ସାମ୍ନାକୁ ଆସିଛି। ପେଟି ଭିତରେ ଅତି ସାବଧାନତାର ସହିତ ଟଙ୍କାକୁ ପ୍ୟାକ୍ କରାଯାଇଥିଲା। ତେବେ ଏହି ଅର୍ଥ କୌଣସି ରାଜନୈତିକ ଦଳର କି ଅନ୍ୟ କାହାର ତାହା ଜଣାପଡ଼ିନାହିଁ। ଟଙ୍କା ଉଦ୍ଦେଶ୍ୟରେ ନିଆଯାଉଥିବା ସେ ନେଇ ସ୍ଥାନୀୟ ପୁଲିସ ଖୋଳତାଡ଼ ଚଳାଇଛି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ବିଶାଖାପାଟଣା ଅଭିମୁଖେ ଏକ ଗାଡ଼ି ଯାଉଥିଲା। ଅନନ୍ତପାଲ୍ଲୀ ନିକଟରେ ଗାଡ଼ିଟି ଗୋଟିଏ ଲରିକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳର ପହଞ୍ଚିଥିଲା। ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ୭ଟି ପେଟି ମିଳିଥିଲା। ପୁଲିସ ତାହାକୁ ଖୋଲିବା ପରେ ସେଥିରେ ବିଡ଼ା ବିଡ଼ା ଟଙ୍କା ରଖାଯାଇଥିବା ଜଣାପଡ଼ିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ଟଙ୍କାକୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ଆହତ ଡ୍ରାଇଭରକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



