ବିହାର: ପୋଖରୀରେ ବୁଡ଼ି ୭ ବାଳକ ମୃତ
ପାଟନା : ବିହାରର ଛାପରା ଜିଲାର ଡ଼ୋଇଲା ଗ୍ରାମରେ ରବିବାର ଅପରାହ୍ଣରେ ଏକ ପୋଖରୀରେ ବୁଡ଼ି ୭ ଜଣ ବାଳକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ୩ ବାଳକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଡୋଇଲା ଗ୍ରାମର ୧୦ ଜଣ ବାଳକ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ବାଳକଙ୍କ ମଧ୍ୟରୁ ଜଣେ ବୁଡ଼ିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ପୋଖରୀକୁ ଡେଇଁଥିଲେ ଓ ଜଣକ ପରେ ଜଣେ ସମସ୍ତେ ବୁଡ଼ିଯାଇଥିଲେ। ପାଖରେ ଥିବା ଜଣେ ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ୭ ବାଳକଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଦିନ ହେବ ପ୍ରବଳ ବର୍ଷା ଯୋଗୁ ଛାପରା ଜିଲାରେ ନଦୀ, ନାଳ ଓ ପୋଖରୀ ଜଳସ୍ତର ବୃଦ୍ଧି ପାଇଛି। ପାଣିପାଗ ବିଭାଗ ଆଉ ୩ରୁ ୪ ଦିନ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି। ଶିଶୁ ମୃତ୍ୟୁକୁ ନେଇ ଡୋଇଲା ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
Comments are closed.