ଭୁବନେଶ୍ବର : ଏଣିକି ୬ବର୍ଷ ବୟସ ହୋଇନଥିଲେ ପ୍ରଥମଶ୍ରେଣୀରେ ପିଲାଙ୍କ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବ। ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ ଯେଉଁଠି ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ। ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଓଡ଼ିଶାରେ ତିନି ଦିନିଆ ଜାତୀୟ କର୍ମଶାଳା ଆଜିଠାରୁ ୨୩ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯିବ। କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ଏଥିସହିତ ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି। ସମ୍ପୃକ୍ତ ଶିକ୍ଷାବର୍ଷ ସେପ୍ଟେମ୍ବର ୧ରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ସଂଶୋଧିତ କରି ୬ ବର୍ଷ ଓ ଊର୍ଦ୍ଧ୍ବ ବୟସ କରାଯାଇଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରିକଳ୍ପନା ଅନୁଯାୟୀ, ୫ ବର୍ଷ ଓ ଊର୍ଦ୍ଧ୍ବ ବୟସର ପିଲାମାନଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ନିମନ୍ତେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ‘ଶିଶୁ ବାଟିକା’ ଖୋଲିବା ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ରାଜ୍ୟ ପାଠ୍ୟକ୍ରମ ରୂପରେଖର ସଂଶୋଧନ ଆରମ୍ଭ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗ ସହିତ ପ୍ରାରମ୍ଭିକ ପର୍ଯ୍ୟାୟକୁ ଗ୍ରହଣ କରାଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ଶିଶୁର ପ୍ରଥମ ୧୫ ବର୍ଷ ଶିକ୍ଷା ପର୍ଯ୍ୟାୟକ୍ରମେ ୫+୩+୩+୪ ଭିତ୍ତିରେ ପରିବର୍ତ୍ତନ କରାଯିବ। ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଥିଲେ।
ଆଜିଠୁ ତିନି ଦିନିଆ ଜାତୀୟ କର୍ମଶାଳା: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ
Popular Categories



