ସମାଜ ଡିଜିଟାଲ ଡେସ୍କ: ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ ମର୍ଡୋକ୍ ୯୩ ବର୍ଷରେ ୫ମ ବିବାହ କରିଛନ୍ତି। ଜୁନ ୧ ତାରିଖରେ ୬୭ ବର୍ଷୀୟା ବାନ୍ଧବୀ ଏଲିନା ଜୁକୋଭାଙ୍କୁ କାଲିଫର୍ନିଆର ବେଲ୍ ଏୟାରସ୍ଥିତ ଭାଇନୟାର୍ଡ ଇଷ୍ଟେଟରେ ବିବାହ କରିଛନ୍ତି। ମର୍ଡୋକଙ୍କ କମ୍ପାନୀ ନ୍ୟୁଜ କର୍ପ ବିବାହ ସମୟର କିଛି ଫଟୋ ଶେୟାର କରି ଏ ନେଇ ସ୍ପଷ୍ଟ କରିଛି। ଗତ ମାର୍ଚ୍ଚରେ ମର୍ଡୋକ ଏବଂ ଏଲିନାଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପର୍ନ୍ନ ହୋଇଥିଲା।
ଏଲିନା ହେଉଛନ୍ତି ରୁଷ ଜନ୍ମିତ ଅବସରପ୍ରାପ୍ତ ଅଣୁ ଜୀବ ବିଜ୍ଞାନୀ। ସେ ପୂର୍ବରୁ ୨ଥର ବିବାହ କରିଛନ୍ତି। ୧୯୯୧ରେ ସେ ନିଜ ଝିଅ ଡାସା ଜୁକୋଭାଙ୍କ ସହିତ ରୁଷରୁ ଆମେରିକା ଚାଲି ଆସିଥିଲେ। ମର୍ଡୋକଙ୍କ ୩ୟ ପତ୍ନୀ ୱେଣ୍ଡି ଡେଙ୍ଗଙ୍କ ଜରିଆରେ ଏଲିନା ପରିଚିତ ହୋଇଥିଲେ। ପରେ ମର୍ଡୋକ ଏବଂ ଏଲିନାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା।
ମର୍ଡୋକ ୨୫ ବର୍ଷ ବୟସରେ ୧୯୫୬ରେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ପାଟ୍ରିସିଆ ବୁକର। ବୁକର ଜଣେ ଅଷ୍ଟ୍ରେଲୀୟ ବିମାନ ସେବିକା। ୧୯୬୭ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିବର୍ଷ ମର୍ଡୋକ୍ ସ୍କଟିସ୍ ସାମ୍ବାଦିକା ଆନ୍ନା ମାରିଆ ଟର୍ଭଙ୍କୁ ୨ୟ ବିବାହ କରିଥିଲେ। ୧୯୯୯ ସେମାନଙ୍କର ବିଚ୍ଛେଦ ହୋଇଥିଲା। ଏହା ପରେ ମର୍ଡୋକ୍ ୧୯୯୯ରେ ୱେଣ୍ଡି ଡେଙ୍ଗ ୩ୟ ଏବଂ ୨୦୧୬ରେ ପୂର୍ବତନ ମଡେଲ ଜେରି ହାଲଙ୍କୁ ୪ର୍ଥ ବିବାହ କରିଥିଲେ।



