ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ବିଭିନ୍ନ ଥାନା ଇଲାକାରେ ସିନ୍ଧି ଚୋରିରେ ସମ୍ପୃକ୍ତ ରହି ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିବା ଏକ ୫ ଜଣିଆ ଗ୍ୟାଙ୍ଗ କନିଷି ହାଟ ଅଞ୍ଚଳରେ ସିନ୍ଧି ଚୋରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବା ସହ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାର ଜବତ କରିଛି। ଗିରଫ ଡକାୟତମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଇନାନ୍ଦ୍ରି ସାହିର ସିଏଚ ରାମବାବୁ(୨୧),ଏସ ଶ୍ରୀନୁ (୧୯),ଏସ ଗଣେଶ (୪୦), ସିଏଚ ସେନାବାବୁ(୧୯) ଓ ପି ନରସିଂହ (୧୯) ବୋଲି ପୁଲିସ ସୂଚନା ଦେଇଛି। ଏହା ସହ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ କାତି, ଦୁଇଟି ଲୁହା ଛଡ, ୩ ଟି ଜିବନ୍ତ ବୋମା, ୪୦ ଗ୍ରାମ ଓଜନର ସୁନା ଅଳଙ୍କାର, ୨.୬ କେଜି ଓଜନର ରୂପା ଅଳଙ୍କାର, ୧୫ ହଜାର ଟଙ୍କା ବିଦେଶୀ ନୋଟ ସହ ୫ ହଜାର ଜବତ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ପୁଲିସ ର ସୂଚନା ମୁତାବକ ୨ ତାରିଖ ରାତିରେ ଏକ ଗ୍ୟାଙ୍ଗ ପକ୍ଷରୁ କନିଷି ଅଞ୍ଚଳରେ ସିନ୍ଧି ଚୋରି ନିମନ୍ତେ ପ୍ରସ୍ତୁତ ହେଉଥିବା ଖବର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏକ ଟିମ୍ କନିଷି ହାଟ ନିକଟବର୍ତ୍ତୀ ନିଛାଟିଆ ସ୍ଥାନରେ ଚଢାଉ କରିବା ସମୟରେ ଡକାୟତି ଗ୍ୟାଙ୍ଗ ପକ୍ଷରୁ ପୁଲିସ ଉପରକୁ ଦୁଇଟି ବୋମା ନିକ୍ଷୋପ କରି ଖସି ଯିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପୁଲିସ ଡକାୟତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ବୋମା ନିକ୍ଷୋପ ଯୋଗୁଁ କୌଣସି ପୁଲିସ କର୍ମଚାରୀ ଆହାତ ହୋଇନଥିବା ଜଣାପଡିଛି।
ପୁଲିସ ଏହି ଘଟଣା ନେଇ ଥାନାରେ ୮୦/୨୨ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତମାନଙ୍କୁ ଜେରା ସମୟରେ ସେମାନେ ବିଭିନ୍ନ ସମୟରେ ଗୋଳନ୍ଥରା ଅଞ୍ଚଳରେ ୪ ଟି ଚୋରି ମାମଲା ସହ ସଦର ଥାନା ଇଲାକାରେ ୩, ବି ଏନ ପୁର ଥାନା ଇଲାକାରେ ୩, ଗୋପାଳପୁର ଥାନା ଇଲାକାରେ ୨ ଓ ବଡ ବଜାର ଥାନା ଇଲାକାରେ ୨ ଟି ମାମଲାରେ ସମ୍ପୃକ୍ତ ରହିଥିବା ସ୍ବିକାର କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗିରଫ ଡକାୟତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।



