ସମାଜ ଡିଜିଟାଲ ଡେସ୍କ: ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲ୍ୟାଣ୍ଡଲକ୍ଡ ବା ଭୂମି ଦ୍ଵାରା ଆବଦ୍ଧ କ୍ଷେତ୍ର ବୋଲି କହି ସମାଲୋଚନା କରିବା ସହିତ ଚୀନକୁ ନିଜ ଦେଶରେ ବ୍ୟାବସାୟିକ ବିସ୍ତାର କରିବା ଲାଗି ଆମନ୍ତ୍ରଣ କରିଥିଲେ। ବାଂଲାଦେଶର ଏଭଳି ପଦକ୍ଷେପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ଭାରତ ପକ୍ଷରୁ ବାଂଲାଦେଶକୁ ଟ୍ରାନ୍ସଶିପମେଣ୍ଟ ସୁବିଧା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରାନ୍ସଶିପମେଣ୍ଟ ସୁବିଧା ଅନୁସାରେ ଭାରତ ବାଂଲାଦେଶକୁ ତାହାର ସାମଗ୍ରୀ ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ ପାଇଁ ଯେଉଁ ବ୍ୟବସ୍ଥା ରଖିଥିଲା ତାହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ସୁବିଧା ଅନୁସାରେ, ବାଂଲାଦେଶର ସାମଗ୍ରୀ ରପ୍ତାନୀ କରୁଥିବା କାର୍ଗୋ ଜାହାଜଗୁଡ଼ିକୁ ଭାରତୀୟ ଭୂମି ସୀମା ଶୁଳ୍କ କେନ୍ଦ୍ର(ଏଲସିଏସଏସ), ବନ୍ଦର ଏବଂ ବିମାନବନ୍ଦର ଜରିଆରେ ଅନ୍ୟଦେଶଗୁଡ଼ିକ ପର୍ଯ୍ୟନ୍ତ ଯିବା ଲାଗି ଅନୁମତି ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଭାରତ ତରଫରୁ ଏହି ସୁବିଧା ରଦ୍ଦ ହେବା ପରେ ନେପାଳ, ଭୂଟାନ ଏବଂ ମ୍ୟାନମାର ଭଳି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ବାଂଲାଦେଶର ବ୍ୟବସାୟ ପ୍ରଭାବିତ ହେବ। କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ମଙ୍ଗଳବାର ଏ ନେଇ ଏକ ସର୍କୁଲାର ଜାରି କରାଯାଇଛି।



