୫-ଟିକୁ ନେଇ ଆରୋପ-ପ୍ରତ୍ୟାରୋପ
ଭୁବନେଶ୍ୱର : ବିଧାନସଭାରେ ସୋମବାର ୫ଟି ପ୍ରସଙ୍ଗକୁ ନେଇ ବିରୋଧୀ-ଶାସକଙ୍କ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ୫-ଟି କ’ଣ ବୁଝାପଡୁନି, ଯଦି ଏହା ଏକ ବିଭାଗ ତେବେ କେଉଁଠି ଅଛି। ଯଦି ଏଥିପାଇଁ ସ୍ୱତନ୍ତ୍ର ବିଭାଗ ରହିଛି ତାହା ଲୋକସେବା ଭବନ, ରାଜୀବ ଭବନ ନା ଖାରବେଳ ଭବନ- କେଉଁଠି ଅଛି ବୋଲି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ। ଯଦି ୫-ଟି ବିଭାଗ ରହିଛି, ତେବେ ଏ ବିଭାଗର ମନ୍ତ୍ରୀ କିଏ ଏବଂ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି? ତାହା ଉପରେ ପ୍ରଶ୍ନ କରିବାର ଆମର ଅଧିକାର ରହିଛି। ଏ ବିଷୟରେ ପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ୫-ଟି ଏକ ନିର୍ଦିଷ୍ଟ ବିଭାଗ ନହୋଇପାରେ; କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା, ଯାହା ଶାସନ ବ୍ୟବସ୍ଥାରେ ମହାମନ୍ତ୍ର ଭଳି କାମ ଦେଉଛି। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଆଜି ଶୂନ୍ୟକାଳରେ ୫-ଟି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ୫-ଟି କ’ଣ ତାହା ବୁଝାପଡ଼ୁନି। ତେବେ ଏ ପ୍ରସଙ୍ଗର ଜବାବ ରଖିଥିଲେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ସେ କହିଥିଲେ ଯେ ବିରୋଧୀ ଦଳ ନେତା ୫-ଟି ବିଷୟରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ହାସ୍ୟାସ୍ପଦ। ଏହା ନିର୍ଦିଷ୍ଟ ବିଭାଗ ନହୋଇଥାଇପାରେ, କିନ୍ତୁ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଚିନ୍ତାଧାରା। ପଞ୍ଚମ ଥର କ୍ଷମତାକୁ ଆସିବା ପରେ ଏହା ମହାମନ୍ତ୍ର ଭଳି କାମ କରୁଛି। ବ୍ଲକ, ଥାନା, ତହସିଲ ଯେଉଁଠି ଅନିୟମିତତା ହେଉଛି ସେ କ୍ଷେତ୍ରରେ ଲୋକେ ୫-ଟିକୁ ଜଣାଇବା ପାଇଁ କହୁଛନ୍ତି। ୫-ଟିକୁ ଜଣାଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ମଧ୍ୟ ଅଧିକାଂଶ ସମୟରେ ୫-ଟି ସଚିବ ବୋଲି ସମ୍ବୋଧନ କରୁଛନ୍ତି। ଏହା ଏକ ପ୍ରଶ୍ନ ନୁହେଁ। ଶାସନ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ଏହା ଏକ ଚିନ୍ତାଧାରା ବୋଲି ସେ କହିଥିଲେ।
Comments are closed.