ପାଟଣା: ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ଲୁଟ ଓ ଛିନତାଇ ମାମଲାରେ ପାଟଣା ପୁଲିସ ୫ ଲୁଟେରାଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି। ଲୁଟେରାମାନଙ୍କଠାରୁ ନଗଦ ୨୦ ହଜାର ଟଙ୍କା, ୩ଟି ବାଇକ, ୮ଟି ମୋବାଇଲ ଫୋନ, ଗୋଟିଏ ଚାବି ଓ ବାଇକ ଡିକି ଭଙ୍ଗା ଯନ୍ତ୍ର ମଧ୍ୟ ଜବତ କରାଯାଇଛି। ସେମାନଙ୍କ ନାମରେ କେନ୍ଦୁଝର ଜିଲ୍ଲାର ପାଟଣା ଥାନା ସମେତ ବଡ଼ବିଲ, ନୟାକୋଟ, ନନ୍ଦିପଦା, ରରୁଆଁ, ଢେଙ୍କାନାଳର ମୋଟୁଗାଁ, ଅନୁଗୁଳ କୋଲିଆରୀ, ଗଞ୍ଜାମର ଦିଗପହଣ୍ଡି ଥାନାରେ ମାମଲା ରହିଛି।
ପାଟଣା ଥାନା ଦାସପଡା ଗ୍ରାମର ବିଦ୍ୟାଧର ମହାନ୍ତ(୫୫) ଗତ ୩୦ ତାରିଖରେ ବଡ଼ବିଲରେ ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ତାଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଗତ ୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ଏକ ମାମଲା (୨୩୭/୨୦୨୪) ରୁଜୁ କରି ତଦନ୍ତ କରାଯାଉଥିବା ବେଳେ ଏହି ଲୁଟେରା ଦଳକୁ ଗିରଫ କରିବାରେ ସଫଳ ହୋଇଛି। ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ବୁଧବାର ପାଟଣା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ୫ ଅଭିଯୁକ୍ତ ହେଲେ ଯାଜପୁର ରୋଡ୍ ଥାନା ମୁଣ୍ଡମାଳ ଗ୍ରାମର ବିକି ପ୍ରଧାନ(୨୩), ସମୀର ପ୍ରଧାନ(୧୯), ସନ୍ଦୀପ ପ୍ରଧାନ(୨୦), ଗଞ୍ଜାମ ଜିଲ୍ଲା ସାହାପୁରର ଏ. ଜଗନ୍ନାଥ(୪୦) ଛତିଶଗଡ଼ ରାୟପୁର ଥାନା ଅରଦାବ୍ରିର ଶିବା ନେତମ ଓରଫ ଧୁରୁ(୨୩)। ଏହାଛଡା ଘଟଣାରେ ଅନ୍ୟ ଜଣେ ୧୨ ବର୍ଷର ନାବାଳକ ମଧ୍ୟ ଏହି ଦଳରେ ସାମିଲ ଥିବା ଜଣାପଡ଼ିଛି। ତାକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି।




