ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ପାଇଁ ଦାୟୀ କୁହାଯାଉଥିବା ବି-୧-୬୧୭-୨ ଭୂତାଣୁ ପ୍ରକରଣ ବା ଡେଲ୍ଟା ପ୍ରକରଣକୁ ପ୍ରତିହତ କରିବା ପାଇଁ ବରିଷ୍ଠ ନାଗରିକଙ୍କୁ ତୃତୀୟ ପାନ ଟିକା ଆବଶ୍ୟକ ହୋଇପାରେ। ବ୍ରିଟେନ୍ରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିଥିବାବେଳେ ଗୋଟିଏ ପାନ ଟିକା ନେଇଥିବା ବୟସ୍କମାନଙ୍କୁ ଏହା କାଟୁ କରୁନାହିଁ। ସେଠାରେ ଫାଇଜର ଟିକା ବ୍ୟବହାର କରାଯାଉଛି। କେବଳ ଡେଲ୍ଟା ପ୍ରକରଣ ନୁହେଁ; ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ବି-୧-୩୫୧ ଓ ବ୍ରିଟେନ୍ରେ ବ୍ୟାପିଥିବା ୧-୧-୧-୭ ପ୍ରକରଣ କ୍ଷେତ୍ରରେ ମଧ୍ୟ ଗୋଟିଏ ପାନ ଟିକା ପ୍ରଭାବ ପକାଇପାରୁ ନାହିଁ। ସେଥିପାଇଁ ସଂକ୍ରମଣ ଅଧିକ ହେଉଥିବା ମତ ଦେଇଛନ୍ତି ‘ଲାନ୍ସେଟ୍’ ବିଶେଷଜ୍ଞମାନେ।
ଭୂତାଣୁର ଅନ୍ୟ ପ୍ରକରଣ ଅପେକ୍ଷା ଡେଲ୍ଟା ଅଧିକ ମାରାତ୍ମକ ଏବଂ ଏହାଦ୍ବାରା ଅନ୍ୟ ରୋଗ ମଧ୍ୟ ଗ୍ରାସ କରୁଛି ବୋଲି ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଟିକାର ଦୁଇ ପାନ ମଧ୍ୟରେ ଧାର୍ଯ୍ୟ ଅଧିକ ବ୍ୟବଧାନ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ଦେଖାଯାଉଥିବାରୁ ଟିକା ନୀତିକୁ ସେହି ଅନୁସାରେ ସଂଶୋଧନ କରାଯିବା ଆବଶ୍ୟକ। ଗତ ଡିସେମ୍ବରରେ ଭାରତରେ ଡେଲ୍ଟା ପ୍ରକରଣ ଠାବ ହୋଇଥିଲା; କିନ୍ତୁ ଦ୍ବିତୀୟ ଲହରରେ ଏହା ମାରାତ୍ମକ ରୂପ ଧରିଲା। ଏଠାରେ ଟିକା ନେବା ପରେ ମଧ୍ୟ ଲୋକେ କରୋନାରେ ଆକ୍ରାନ୍ତ ହେଲେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଏହାର କାରଣ ବୋଲି ସେମାନେ କହିଛନ୍ତି।



