ଧାରା ୩୭୦ ଏବଂ ୩୫-କ ନେଇ କେନ୍ଦ୍ର ନିଜ ମନୋଭାବ ସ୍ପଷ୍ଟ ନ କଲେ ନିର୍ବାଚନ ବର୍ଜନ କରିବୁ : ଫାରକୁ ଅବଦୁଲ୍ଲା

0

ଶ୍ରୀନଗର : ସମ୍ବିଧାନର ଧାରା ୩୭୦ ଏବଂ ୩୫-କ’କୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପୁଣି ଥରେ ନିର୍ବାଚନ ବର୍ଜନ ଧମକ ଦେଇଛନ୍ତି। ଫାରକୁ ଶ୍ରୀନଗରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି। ହେଲେ କେନ୍ଦ୍ର ସରକାର ଏନେଇ ନିଜ ସ୍ଥିତି କିମ୍ବା ମନୋଭାବ କ’ଣ ତାହା ସ୍ପଷ୍ଟ କରୁନାହାନ୍ତି। ଯଦି ଏନେଇ କେନ୍ଦ୍ର ସରକାର ନିଜ ସ୍ଥତି ସ୍ପଷ୍ଟ ନ କରନ୍ତି ତେବେ ତାଙ୍କ ଦଳ ନିର୍ବାଚନ ବର୍ଜନ କରିବ ବୋଲି ସେ ଚେତବାନୀ ଦେଇଛନ୍ତି।
ପ୍ରକାଶ ଯେ ଫାରକୁ ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଧମକ ଦେଇ ସାରିଛନ୍ତି। ଜାମ୍ମୁ କାଶ୍ମୀରରେ ଅକ୍ଟୋବର-ନଭେମ୍ବରରେ ପଞ୍ଚାୟତ ଏବଂ ନଗର ନିଗମ ନିର୍ବାଚନ ହେବାର ଅଛି। କିନ୍ତୁ ରାଜ୍ୟରେ ଧାରା ୩୭୦ ଓ ୩୫ କ’କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଫାରକୁ ନିର୍ବାଚନ ବର୍ଜନ ପାଇଁ ଚେତବାନୀ ଦେଇଛନ୍ତି। ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ସମ୍ବିଧାନ ଧାରା ୩୭୦ ଏବଂ ୩୫ କ ହଟିଲେ ଜାମ୍ମୁ କାଶ୍ମୀର ଭାରତ ସହ ସମ୍ପର୍କ କାଟିଦେବ ବୋଲି ଧମକ ଦେଇଥିଲେ।
ଉଲ୍ଲେଖ ଯେ ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ। ୧୯୫୪ ମେ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି। ଏହାଦ୍ୱାରା ସମ୍ବିଧାନର ସମାନ ଅଧିକାର, ସ୍ୱାଧୀନତା ଭଳି ଅଧିକାର କ୍ଷୂର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Leave A Reply