ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ଙ୍କ ନିର୍ଦେଶକ୍ରମେ ଏୟାର ଇଣ୍ଡିଆର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ଏହି ଅଧିକାରୀମାନେ ହେଲେ ଚୁରା ସିଂହ (ଡିଭିଜିନାଲ ଭାଇସ୍ ପ୍ରେସିଡେଣ୍ଟ), ପିଙ୍କି ମିତ୍ତଲ (ଚିଫ୍ ମ୍ୟାନେଜର-ଡାଇରେକ୍ଟୋରେଟ୍ ଅଫ୍ ଅପରେସନସ୍) ଏବଂ ପାୟଲ ଆରୋରା (କ୍ରିଉ ସିଡ୍ୟୁଲିଂ ଆଣ୍ଡ୍ ପ୍ଲାନିଂ)। ଏହି ଅଧିକାରୀମାନେ ପାଇଲଟ୍ ଓ କ୍ରିଉଙ୍କ ନିୟମିତ/ରୋଷ୍ଟର ଡ୍ୟୁଟି ନିର୍ଘଣ୍ଟ ଦାୟିତ୍ବରେ ରହିଥିଲେ। ଏଥିସହିତ ଏହି ଅଧିକାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ଏଥିରେ ବ୍ୟତିକ୍ରମ ଘଟେ, ତେବେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଲାଇସେନ୍ସ ବାତିଲ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଏୟାର ଇଣ୍ଡିଆର ଘରୋଇ ଓ ଆନ୍ତର୍ଜାତିକ ନେଟ୍ୱାର୍କରେ ସାମିଲ କ୍ରିଉ (ପାଇଲଟ୍ ଓ କ୍ୟାବିନ କର୍ମଚାରୀ) ପରିଚାଳନାକୁ ନେଇ ନିକଟରେ ଅଡିଟ୍ କରାଯାଇଥିଲା। ଅପରପକ୍ଷରେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ତିନି ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବ (ନନ୍ ଅପରେସନାଲ) ଦେବାକୁ ଡିଜିସିଏ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଏୟାର ଇଣ୍ଡିଆ ବିମାନଗୁଡିକର କ୍ରିଉ ପରିଚାଳନାକୁ ନେଇ ନିକଟରେ ଅଡିଟ୍ କରାଯାଇଥିଲା। ତଦନୁଯାୟୀ ମେ’ ୧୭ରେ ବେଙ୍ଗାଲୁରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏକାଧିକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ପାଇଲଟଙ୍କ ପାଇଁ ଦୈନିକ ସର୍ବାଧିକ ୧୦ ଘଣ୍ଟା ବିମାନ ଉଡାଇବାର ନିୟମ ଥିବାବେଳେ ଏହି ବିମାନକୁ ଉଡାଇଥିବା ପାଇଲଟ୍ ସେଦିନ ଅଧିକ ସମୟ କକ୍ପିଟ୍ରେ ବିତାଇଥିବାର ପ୍ରମାଣ ମିଳିଛି। ଏୟାର ଇଣ୍ଡିଆର ଆଇଓସିସି (ଇଣ୍ଟିଗ୍ରେଟେଡ ଅପରେସନ୍ସ କଣ୍ଟ୍ରୋଲ ସେଣ୍ଟର) କ୍ରିଉ ପରିଚାଳନା, ବିମାନ ଚଳାଚଳ, ପାଣିପାଗ ସ୍ଥିତି ଏବଂ ରୁଟ୍ ପରିଚାଳନା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେଇଥାଏ। ଏଥିରେ ବ୍ୟତିକ୍ରମ ଘଟିଲେ ବିମାନ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଉପୁଜିଥାଏ। ଡିଜିସିଏ ପକ୍ଷରୁ ପ୍ରଚଳିତ ନିୟମ ଅନୁଯାୟୀ କକ୍ପିଟ୍ରେ ବସିଥିବା ଦୁଇ ପାଇଲଟ୍ (କ୍ୟାପଟେନ ଓ ଫାଷ୍ଟ ଅଫିସର)ଙ୍କ ମୋଟ ଉଡାଣ ଅଭିଜ୍ଞତା ସମୟ ନିର୍ଦ୍ଧାରିତ ମାନଦଣ୍ଡକୁ ପୂରଣ କରୁଥିବା ଉଚିତ। ପୁନଶ୍ଚ ଖରାପ ପାଣିପାଗ, ମହାସାଗର ଉପର ଦେଇ ବିମାନ ଉଡାଇବା, ଲେଡ୍/ଲଦାଖ ଭଳି ବିପଦସଙ୍କୁଳ ବିମାନବନ୍ଦରରେ ଉଡାଣ/ଅବତରଣ କରିବାର ଅଭିଜ୍ଞତା ପାଇଲଟଙ୍କ ନିକଟରେ ରହିଥିବ। କକ୍ପିଟ୍ରେ ବସିଥିବା ପାଇଲଟଙ୍କ ନିକଟରେ ବୈଧ ଲାଇସେନ୍ସ ଥିବା ଜରୁରୀ। ପୁନଶ୍ଚ ନିର୍ଦିଷ୍ଟ ବିମାନ ଉଡାଇବା ପୂର୍ବରୁ ପାଇଲଟଙ୍କୁ ଉପଯୁକ୍ତ ବିଶ୍ରାମ ମିଳୁଥିବା ଜରୁରୀ ବୋଲି ନିୟମ ରହିଛି।
ଦାୟିତ୍ବରୁ ହଟିଲେ ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀ
Popular Categories



