ତେହେରାନ/ତେଲ୍ ଆଭିଭ୍: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ଶୁକ୍ରବାର ଇସ୍ରାଏଲ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଇରାନର ସେନାମୁଖ୍ୟ ଓ ପାଞ୍ଚ ପରମାଣୁ ବିଜ୍ଞାନୀଙ୍କ ସମେତ ଶତାଧିକ ପ୍ରାଣ ହରାଇଥିଲେ। ଶନିବାର ଉଭୟପକ୍ଷ ପରସ୍ପର ଉପରେ ପୁଣି ଆକ୍ରମଣ କରିଥିବା ଜଣାପଡିଛି। ଇରାନ ପକ୍ଷରୁ ତେଲ ଆଭିଭ୍ସ୍ଥିତ ଇସ୍ରାଏଲ ପ୍ରତିରକ୍ଷା ମୁଖ୍ୟାଳୟକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଥିବା ଇରାନ ଦାବି କରିଛି। ଇରାନର କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାେର ଇସ୍ରାଏଲର ଆଇରନ ଡୋମ୍ ବ୍ୟବସ୍ଥା ବିଫଳ ହୋଇଛି। ଏ ପ୍ରସଙ୍ଗରେ ଜାରି କରାଯାଇଥିବା ଏକ ଭିଡିଓରୁ ଜଣାପଡିଛି ଯେ ଆଇରନ ଡୋମ୍କୁ ଚକ୍ମା ଦେଇ ଇରାନର କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଛି। ତେଲ୍ ଆଭିଭ୍ ବ୍ୟତୀତ ଜେରୁଜେଲମ ସହର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ତେବେ ଏଥିଜନିତ କ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ। ଇରାନର ଏଭଳି ଆକ୍ରମଣ ଜବାବ ଦିଆଯାଇଛି ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ କହିଛନ୍ତି। ଇସ୍ରାଏଲ ପକ୍ଷରୁ ନିକ୍ଷେପ କରାଯାଇଥିବା ଶତାଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ଇରାନର ଏକାଧିକ ସହର ଉପରେ ପଡିଛି। ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି ଯେ ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ମସ୍ତବଡ ଭୁଲ କରିଛି। ତେଣୁ ଇସ୍ରାଏଲକୁ ଚରମ ପରିଣତି ଭୋଗିବାକୁ ପଡିବ। ଅପରପକ୍ଷରେ ଇସ୍ରାଏଲ ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ନାଦାଭ୍ ସୋସାନି କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପାଇଁ ଇରାନ ସମ୍ପୂର୍ଣ୍ଣ ଭାବେ ଦାୟୀ। ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରି ଇସ୍ରାଏଲକୁ ଧ୍ବଂସ କରିବାକୁ ଇରାନ ଯେଉଁ ଅପଚେଷ୍ଟା ଚଳାଇଛି, ତାହାକୁ କୌଣସି ପରିସ୍ଥିତିରେ ସମ୍ଭବ ହେବାକୁ ଦିଆଯିବନି ବୋଲି ସେ ଧମକ ଦେଇଛନ୍ତି। ଇସ୍ରାଏଲ ପକ୍ଷରୁ କେବଳ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ନିଶାଣ କରାଯାଇଥିବାବେଳେ ଇରାନ ନିରୀହ ଜନତାଙ୍କୁ ନିଶାଣ କରୁଥିବା ସେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ମଧ୍ୟପ୍ରାଚ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ଏୟାରଲାଇନ୍ସର ବିମାନ ବର୍ତ୍ତମାନ ଇରାନର ଆକାଶପଥକୁ ଏଡାଉଥିବାରୁ ବିମାନ ଯାତ୍ରା ମହଙ୍ଗା ହେବାରେ ଲାଗିଛି। ସାଧାରଣତଃ ୟୁରୋପ ଓ ଏସିଆ ମଧ୍ୟରେ ଯାତ୍ରା କରୁଥିବା ବିମାନଗୁଡିକ ଇରାନର ଆକାଶପଥକୁ ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ଅଣବିଶୋଧିତ ତୈଳ ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି। ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଥିବାରୁ ଏହି ରାସ୍ତା ଦେଇ ତୈଳ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ଆଲୋଚନା ମଧ୍ୟ ସ୍ଥଗିତ ରହିଛି। ଆମେରିକାର ଇଙ୍ଗିତରେ ଇସ୍ରାଏଲ ଏଭଳି ଆକ୍ରମଣ କରୁଥିବା ଇରାନ ଅଭିଯୋଗ କରିଛି। ଅକ୍ଟୋବର ୭, ୨୦୨୩ରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରାୟ ଦୁଇବର୍ଷ ମଧ୍ୟରେ ଏହି ଯୁଦ୍ଧ ଇରାନ, ଲେବାନନ ଓ ୟେମେନକୁ ବ୍ୟାପିଛି। ଇରାନ ଓ ଲେବାନନରେ ସକ୍ରିୟ ଥିବା ହେଜବୋଲ୍ଲା ଏବଂ ୟେମେନରେ ହୁତି ଆତଙ୍କବାଦୀ ବର୍ତ୍ତମାନ ଇସ୍ରାଏଲ ବିପକ୍ଷରେ ଏକଜୁଟ ହୋଇଛନ୍ତି।
ଇସ୍ରାଏଲ ‘ଅପରେସନ୍ ରାଇଜିଂ ଲାୟନ୍’ ଆକ୍ରମଣରେ ଇରାନ୍ର ସେନା ମୁଖ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଅମୀର ହତାନିଙ୍କୁ ନିଯୁକ୍ତ କରାଯାଇଛି। ସେ ଇରାନ୍ ସେନାର ନେତୃତ୍ବ ଗ୍ରହଣ କରିଛନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନ୍ର ତିନି ସର୍ବୋଚ୍ଚ ପଦରେ ଅଭିସିକ୍ତ ଶକ୍ତିଶାଳୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ସେନା ମୁଖ୍ୟ ଜେନେରାଲ ହୋସେନ୍ ସଲାମୀ, ଅତ୍ୟାଧୁନିକ ରିଭୋଲୁସ୍ନାରୀ ଗାର୍ଡସ୍ କର୍ପସ୍ ମୁଖ୍ୟ ମହମ୍ମଦ ବାଘେରୀ, ଇମର୍ଜେନ୍ସି କମାଣ୍ଡ ମୁଖ୍ୟ ଗୋଲାମ ଅଲୀ ରସିଦ ଓ ପୂର୍ବତନ ଜାତୀୟ ନିରାପତ୍ତା ଅଲୀ ସାମ୍ଖାନୀ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅମୀର ହତାନୀଙ୍କୁ ସେନାର ନେତୃତ୍ବ ଭାର ଅର୍ପଣ କରିଛନ୍ତି ଦେଶର ସର୍ବମୟ କର୍ତ୍ତା ଆୟାତୋଲା ଖାମେନି। ଏଥିସହିତ ସେ ସାମରିକ ନେତୃତ୍ବ କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛନ୍ତି। ଜେନେରାଲ ଅବଦୁଲ ରହିମ େମୗସବିଙ୍କୁ ବାଘେରୀଙ୍କ ସ୍ଥାନରେ ଆର୍ମଡ୍ ଫୋର୍ସ ମୁଖ୍ୟ ଓ ଇସ୍ଲାମିକ୍ ରିଭୋଲୁସ୍ନାରୀ ଗାର୍ଡ କର୍ପସ୍ ମୁଖ୍ୟ ଭାବେ ମହମ୍ମଦ ପାକ୍ପୁରଙ୍କୁ ସଲାମୀଙ୍କ ସ୍ଥାନରେ ନିଯୁକ୍ତି ଦେଇଛନ୍ତି। ୫୯ବର୍ଷୀୟ ମେଜର ଜେନେରାଲ ହତାନୀ ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଇସ୍ଲାମିକ୍ ରିଭୋଲୁସ୍ନାରୀ ଗାର୍ଡର ଅନ୍ତର୍ଭୁକ୍ତ ନହୋଇ ମଧ୍ୟ ସେ ପ୍ରତିରକ୍ଷା ମନ୍ତ୍ରୀ ହେବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସେ ଦେଶର ପାରମ୍ପରିକ ସେନା ‘ଆର୍ତେଶ୍’ର ସଦସ୍ୟ ଥିଲେ ମଧ୍ୟ ସଫଳତାର ସହ ସେନା ଓ ରିଭୋଲୁସ୍ନାରୀ ଗାର୍ଡ ମଧ୍ୟରେ ତାଳମେଳ ରଖି କାର୍ଯ୍ୟ କରିଥିଲେ। ସେନା ଓ ରାଜନୈତିକ ନେତୃତ୍ବ କ୍ଷେତ୍ରରେ ମଧ୍ୟରେ ତାଙ୍କର ଦକ୍ଷତା ରହିଛି।
ଇରାନ୍ର ପ୍ରତିଶୋଧ; କ୍ଷେପଣାସ୍ତ୍ର ମାଡ଼ରେ ୩ ଇସ୍ରାଏଲୀ ମୃତ
Popular Categories



