ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଘୋଷଣା ପରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହେବା ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ୟ୍ୟାୟ ଲକ ଡାଉନ ଏପ୍ରିଲ ୩୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲେ ହେଁ ଏହି ସମୟରେ କେତେକ କାର୍ୟ୍ୟ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ଘୋଷଣା ଅନୁସାରେ କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ବିଭାଗ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କାର୍ୟ୍ୟକ୍ରମ ଯଥାରୀତି ଚାଲିବ। ଅର୍ଥାତ ଏସବୁ ବିଭାଗର କାର୍ୟ୍ୟ ପାଇଁ ଲକଡାଉନକୁ କୋହଳ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାମାଜିକ ଦୂରତା ବଜାୟ ରଖି କୃଷି କାର୍ୟ୍ୟ, କୃଷି ସାମଗ୍ରୀ ପରିବହନ ଓ ବିକ୍ରୟ କାର୍ୟ୍ୟ ଜାରି ରହିବ। ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ କୃଷିଜାତ ଦ୍ରବ୍ୟ ସଂଗ୍ରହ ଓ ଏଥିରେ ନିୟୋଜିତ ସଂସ୍ଥାଗୁଡ଼ିକୁ ଲକଡାଉନରୁ ବାଦ ଦିଆଯାଇଛି। ପନିପରିବା, ଫଳ ଯୋଗାଣ କରୁଥିବା ବ୍ୟକ୍ତି, ବ୍ୟବସାୟୀଙ୍କ ସମେତ କୃଷି, ଉଦ୍ୟାନକୃଷିଜାତ ଦ୍ରବ୍ୟ ପରିବହନକୁ ଲକଡାଉନରୁ ମୁକ୍ତ ରଖାଯାଇଛି। ନିୟନ୍ତ୍ରିତ ବଜାର କମିଟି, କୃଷି ସମବାୟ ସମିତି, ଲ୍ୟାମ୍ପସ, ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମଣ୍ଡି, ଗ୍ରାମ୍ୟ ହାଟରେ କୃଷକ, କୃଷି ଉତ୍ପାଦକ ଗୋଷ୍ଠୀ, ସମବାୟ ସମିତି ମାଧ୍ୟମରେ ସିଧାସଳଖ କୃଷକମାନଙ୍କଠାରୁ କୃଷିଜାତ ଦ୍ରବ୍ୟ କ୍ରୟ କରାଯିବ।
ସମସ୍ତ କୃଷି, ଉଦ୍ୟାନକୃଷି, ବିହନ ବୁଣା, ଜଳସେଚନ, ଚାରାରୋପଣ, ଅମଳ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂ କରାଯିବ। କୃଷି ଯନ୍ତ୍ରପାତି ମରାମତି ୱାର୍କସପ ଓ ଦୋକାନ ଖୋଲାରହିବ। ସାର, କୀଟନାଶକ, ଗୋଦାମ ଘର, ଶୀତଳଭଣ୍ଡାର, ପଣ୍ୟାଗାର, ପରିବହନ, କୀଟନାଶକ ପରୀକ୍ଷାଗାର, ପୋଖରୀ ଖନନ, ଶସ୍ୟ କଟା ପରୀକ୍ଷା, ବୀମା କ୍ଷତି ଆକଳନ କାର୍ୟ୍ୟକ୍ରମ ଚାଲୁ ରହିବ।
ସମବାୟ ବିଭାଗ ଅଧୀନରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକ୍ସ, ଲ୍ୟାମ୍ପସ ଦ୍ବାରା ଖରିଫ ଋଣ ପ୍ରଦାନ କାର୍ୟ୍ୟ ଚାଲିବ। ନାଫେଡ଼, ମାର୍କଫେଡ଼ ଦ୍ବାରା ଡାଲି ଓ ତୈଳବୀଜ ସଂଗ୍ରହ, ରବି ଧାନ ଅମଳ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ମଣ୍ଡି ଦ୍ବାରା ଧାନ ସଂଗ୍ରହ ଓ ପରିବହନ ଚାଲିବ।
ମତ୍ସ୍ୟ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଗୋଦାମରେ ସାଇତି ରଖିବ, ପରିବହନ, ବିତରଣ ଚାଲୁ ରହିବ। ଖୁଚୁରାରେ ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଓ ଦଗ୍ଧଜାତ ସାମଗ୍ରୀ ବିକ୍ରୟ, କୁକୁଡ଼ା ଖାଦ୍ୟ, ଗୋଖାଦ୍ୟ ବିକ୍ରି, ପ୍ରକ୍ରିୟାକରଣ ଚାଲିବ। ସରକାରୀ ଓ ବେସରକାରୀ ପ୍ରାଣୀ ଚିକିତ୍ସାଳୟ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟ, ଏଲଆଇ ସେଣ୍ଟର ଖୋଲା ରହିବ। ବରଫ କଳ, ମାଛଧରା ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର, ମାଛ ନିଲାମ ସ୍ଥଳ, ଶୁଖୁଆ ପ୍ରସ୍ତୁତି ଓ ଅନ୍ୟାନ୍ୟ କାର୍ୟ୍ୟ ଚାଲିବ। ଗୋଶାଳା ଖୋଲା ରହିବ ଏବଂ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ।
ପଞ୍ଚାୟତିରାଜ ବିଭାଗ ଅଧୀନରେ ମନରେଗା କାର୍ୟ୍ୟ ଚାଲୁ ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ସ୍ବଚ୍ଛ ଭାରତ ଯୋଜନାରେ ନିର୍ମାଣ କାର୍ୟ୍ୟ ଜାରି ରହିବ। ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଚାଲିବ। ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ କେନ୍ଦୁପତ୍ର ତୋଳିବା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକ୍ରି, ଜଳାଶୟ ନିର୍ମାଣ କରାଯାଇପାରିବ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ଦ୍ବାରା ଉତ୍ପାଦନ ଓ ବିତରଣ, ମିଶନ ଶକ୍ତି କାର୍ୟ୍ୟକ୍ରମ ଜାରି ରହିବ।
ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ଖାଦ୍ୟର ହୋମ ଡ଼େଲିଭରୀ, ଫ୍ଲିପକାର୍ଟ, ଆମାଜନ, ବ୍ଲୁ ଡାର୍ଟ, ଡ଼ିଟିଡ଼ିସି, ଜମାଟୋ ଆଦି ଅନଲାଇନରେ ଇ-ବାଣିଜ୍ୟ ସେବାରେ ବିଭିନ୍ନ ସାମଗ୍ରୀର ହୋମ ଡ଼େଲିଭରୀକୁ କଟକଣା ମୁକ୍ତ କରାଯାଇଛି। ଲୋକମାନେ ଏହି ସମୟରେ ଢ଼ାବାରେ ବସି ଖାଇପାରିବେ ନାହିଁ, କିନ୍ତୁ ଢ଼ାବା ଖାଦ୍ୟ ଘରକୁ ନେଇପାରିବେ।
କୃଷି କ୍ଷେତ୍ରରେ ଧାନକଟା, ଅମଳ, ଯନ୍ତ୍ରପାତି ମରାମତି ସମେତ ଉପରୋକ୍ତ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ହେବ। ଯେଉଁସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ(ସଂକ୍ରମଣ ପ୍ରତିରୋଧ ଇଲାକା) ଭାବେ ଘୋଷିତ ହୋଇଛି ସେଠାରେ ଏହା ଲାଗୁ ହେବ ନାହିଁ। ସ୍ବାସ୍ଥ୍ୟ ବିଭାଗ ନିର୍ଦେଶନାମା ଅନୁସାରେ କାର୍ୟ୍ୟ କରାଯିବ। ବିଭିନ୍ନ ଶିଳ୍ପ ସଂସ୍ଥା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ସରକାରୀ ନିର୍ଦେଶନାମା ଅନୁସାରେ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖି କାର୍ୟ୍ୟ କରିବେ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଚଳାଚଳ କରିବ। ସ୍ବାସ୍ଥ୍ୟ ବିଭାଗ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାର ଯାନବାହନ ଚଳାଚଳ କଟକଣା ମୁକ୍ତ ରହିବ। ଦ୍ବିତୀୟ ପର୍ୟ୍ୟାୟ ଲକଡାଉନ ପରିପ୍ରେକ୍ଷୀରେ ଭୁବନେଶ୍ବର ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶନାମା ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ଜାରି କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।



