ଅଗ୍ନି ବର୍ଷା – ୪୦ ଟପିଲା ପାରଦ
- ଭୁବନେଶ୍ବର, ଟିଟିଲାଗଡ଼ରେ ୪୧.୫ଡ଼ିଗ୍ରୀ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ନିଆଁ ବର୍ଷୁଛି। କରୋନା ସଂକ୍ରମଣ ଆଶଙ୍କାରେ ସାରା ରାଜ୍ୟ ଏବେ ଲକଡାଉନ ଭିତରେ ଥିବାବେଳେ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ପାରଦ ପ୍ରାୟ ୪୦ଡ଼ିଗ୍ରୀ ଅତିକ୍ରମ କରିଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ସୋମବାର ରାଜ୍ୟର ୧୨ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଥିବାବେଳେ ଚାରିଟି ସ୍ଥାନରେ ୪୧ରୁ ୪୨ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ସବୁଠୁ ଅଧିକ ୪୧.୫ଡ଼ିଗ୍ରୀ ଥିବା ରେକର୍ଡ଼ ହୋଇଛି। ଏହାଛଡ଼ା ବାରିପଦା,ବଲାଙ୍ଗୀରରେ ମଧ୍ୟ ତାପମାତ୍ରା ୪୧ଡ଼ିଗ୍ରୀ ଉପରେ ରହିଛି। କଟକ, ଚାନ୍ଦବାଲି, ଅନୁଗୋଳ, ତାଳଚେର, ମାଲକାନଗିରି, ନୟାଗଡ଼, ବୌଦ୍ଧ, ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ରାଜ୍ୟର ପ୍ରାୟ ୧୬ଟି ସ୍ଥାନରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ତାପମାତ୍ରା ପ୍ରବଳ ମାତ୍ରାରେ ବଢ଼ିଥିବାବେଳେ କୌଣସି ଅଞ୍ଚଳରେ ବର୍ଷା ହୋଇନାହିଁ। ଆସନ୍ତା ତିନିଦିନ ପର୍ୟ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବାର ସୂଚନା ମିଳିଛି। ଏହି ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ଏବଂ ପାରଦ ୪୦ଡ଼ିଗ୍ରୀ ଉପରେ ରହିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଓଡ଼ିଶା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ପଶ୍ଚିମବଙ୍ଗରୁ ଓଡ଼ିଶା ପର୍ୟ୍ୟନ୍ତ ଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ୧୪ରୁ ୧୭ ତାରିଖ ପର୍ୟ୍ୟନ୍ତ କିଛି ଅଞ୍ଚଳରେ ଝଡ଼ବର୍ଷାର ସମ୍ଭାବନା ରହିଛି। ୧୪ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଗଞ୍ଜାମ, କନ୍ଧମାଳ, ୧୫ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସେହିପରି ୧୬ରେ କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଏବଂ ୧୭ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢ଼େଙ୍କାନାଳ ଓ କନ୍ଧମାଳରେ ୪୦ରୁ ୫୦କିମି ପର୍ୟ୍ୟନ୍ତ ପବନ ବହିପାରେ। ଏହି ସମୟରେ କୋରାପୁଟ, ବଲାଙ୍ଗୀର କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ରାୟଗଡ଼ା ଓ କେନ୍ଦୁଝରରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
Comments are closed.