www.samajalive.in
Saturday, December 13, 2025
17.1 C
Bhubaneswar

ସ୍ୱାମୀଙ୍କୁ ମାଡ ମାରି ଗାଁରେ ପୁରାଇ ଦେଲେନି ମହିଳାଙ୍କ ମୃତ ଦେହ – ଡ଼ାକ୍ତର କଲେ ଅନ୍ତିମ ସତ୍କାର

ବୁର୍ଲା: ସମଗ୍ର ପୃଥିବୀରେ କରୋନା ଭୟରେ ସମସ୍ତେ ଆତଙ୍କ ମଧ୍ୟରେ କାଲାତିପାତ କରୁଛନ୍ତି। ସେପଟେ ଏହି କରୋନା ଭୟ ଏତେ ମାତ୍ରାରେ ଲୋକଙ୍କ ମଧ୍ୟରେ ତାର କାୟା ବିସ୍ତାର କରିଛି ଯେ ସୋମବାର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ବୁର୍ଲା ଭିମସାରରୁ ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଜନୈକ ମହିଳାଙ୍କ ମୃତ୍ୟୁ ପରେ ଶବକୁ ଧରି ଗ୍ରାମକୁ ଯାଇ ଥିବା ସ୍ୱାମୀଙ୍କୁ ଗ୍ରାମବାସୀଙ୍କ ଠାରୁ ମାଡ଼ ଖାଇବାକୁ ପଡିଛି। କରୋନା ରୋଗରେ ମୃତ୍ୟୁ ବରଣ କରିଥିବା ବିଶ୍ୱାସ କରି ଗ୍ରାମବାସୀମାନେ ଉକ୍ତ ମୃତାଙ୍କ ଶବ ସତ୍କାର କରିବାକୁ ଦେଇ ନ ଥିଲେ ଓ ଶେଷରେ ବୁର୍ଲା ଭିମସାରର ଡାକ୍ତରଙ୍କ ଦ୍ୱାରା ଉକ୍ତ ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ମୃତ ମହିଳାଙ୍କ ସ୍ୱାମୀ ମଧ୍ୟ ଗ୍ରାମକୁ ଫେରିବା ପାଇଁ ଭୟରେ ଇଚ୍ଛାପ୍ରକାଶ କରୁନାହାନ୍ତି। ଏହି ଅଭାବନୀୟ ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳ ତଥା ସଚେତନ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି।

ରାଉରକେଲା ନିକଟସ୍ଥ କୁଆର ମୁଣ୍ଡା ଥାନା ଅନ୍ତର୍ଗତ କୁଆର ମୁଣ୍ଡା ଗ୍ରାମର ସୁରେଶ ତନ୍ତିଙ୍କ ୪୫ ବର୍ଷୀୟ ସ୍ତ୍ରୀ ଶାନ୍ତି ତନ୍ତିଙ୍କର ଯକ୍ଷ୍ମା ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ମୃତ୍ୟୁ ଘଟିଥିଲା। ଗତ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଯକ୍ଷ୍ମା ରୋଗରେ ଶାନ୍ତି ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ବୁର୍ଲା ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ପୁରାତନ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଶାନ୍ତିର ଶବକୁ ନେବା ପାଇଁ ତାଙ୍କ ସ୍ୱାମୀ ସୁରେଶ ବୁର୍ଲା ଭିମସାରରୁ ଏକ ଘରୋଇ ଆମ୍ବୁଲାନ୍ସ ଭଡା କରି ନିଜ ଗ୍ରାମ ରାଉରକେଲା କୁଆରମୁଣ୍ଡା ଅଭିମୁଖେ ବାହାରି ଥିଲେ। ତେବେ ଗ୍ରାମରେ ଶବକୁ ଗ୍ରାମବାସୀ ପୁରାଇ ଦେଇ ନ ଥିଲେ ଏବଂ ତାଙ୍କୁ ଶବ ନେଇ ଅନ୍ୟତ୍ର ଚାଲିଯିବାକୁ କହିଥିଲେ। କରୋନା ଭୁତାଣୁ ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣି ତାଙ୍କ ଶବକୁ ଗ୍ରାମରେ ସତ୍କାର କରାଇ ଦେବେ ନାହିଁ ବୋଲି ମନା କରିବା ସହିତ ମୃତା ଶାନ୍ତିଙ୍କ ସ୍ୱାମୀ ସୁରେଶଙ୍କୁ ଗ୍ରାମବାସୀ ବାଡେଇଥିଲେ। ଏହା ଦେଖି ଆମ୍ବୁଲାନସ ସେଠାରୁ ପୁଣି ସମ୍ବଲପୁର ଅଭିମୁଖେ ବାହାରି ଥିଲା। ପ୍ରଥମେ ସମ୍ବଲପୁର ରାଜଘାଟକୁ ନେଇ ଶବସତ୍କାର ପାଇଁ ସୁରେଶ ଚେଷ୍ଟା କରିଥିଲେ ମାତ୍ର ସମ୍ବଲପୁର ରାଜଘାଟରେ ଉକ୍ତ ମୃତାଙ୍କ ସ୍ୱାମୀଙ୍କ ପାଖରେ କୌଣସି ପରିଚୟ ପତ୍ର ନ ଥିବାରୁ ଶବ ସତ୍କାର କରିବା ସମ୍ଭବ ନୁହେଁ ବୋଲି କହି ଫେରାଇ ଦେଇଥିଲେ।

- Advertisement -

ପରେ ବାଧ୍ୟ ହୋଇ ନିଜ ସ୍ତ୍ରୀର ଶବକୁ ଧରି ସ୍ୱାମୀ ସୁରେଶ ବୁର୍ଲା ଭିମସାରକୁ ନେଇ ଆସିଥିଲେ। ତେବେ ବୁର୍ଲା ଭିମସାରରେ ମେଡିସିନ ବିଭାଗର ବରିଷ୍ଠ ଆବାସିକ ଡାକ୍ତର ଡାକ୍ତର ଶଙ୍କର ରାମଚନ୍ଦାନି ଏହି ଘଟଣା ବିଷୟରେ ଖବର ପାଇବା ପରେ ମାନବିକତା ଦୃଷ୍ଟିରୁ ମହିଳାଙ୍କ ଶବ ସତ୍କାର କରିବା ପାଇଁ ନିଜର କିଛି ସହଯୋଗୀ ଡ଼ାକ୍ତରଙ୍କ ସହିତ ଆଗେଇ ଆସିଥିଲେ। ଡ଼ାକ୍ତର ରାମଚନ୍ଦାନିଙ୍କ ସମେତ ଡ଼ାକ୍ତର ରାଜେଶ ମେହେର, ଡ଼ାକ୍ତର ତୁଷାର ମହିଳାଙ୍କ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ତା କରିଥିଲେ। ତେବେ ଏହି ଘଟଣାକୁ ନେଇ ଡ଼ାକ୍ତର ରାମଚନ୍ଦାନି ତାଙ୍କ ପ୍ରତିକ୍ରିୟାରେ ଏକବିଁଂଶ ଶତାବ୍ଦିରେ ଶେଷ ଭାଗରେ ଏଭଳି ଘଟଣା ଅମାନବିକତା ଅତ୍ୟନ୍ତ ଘୃଣ୍ୟ ତେବେ ପ୍ରଶାସନ ଏଭଳି ଘଟଣାକୁ ଗୁରୁତର ସହିତ ନେଇ କଠୋର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ସୁରେଶ ନିଜ ସ୍ତ୍ରୀ ଶାନ୍ତିର ଶବ ସତ୍କାର ପରେ ନିଜ ଗ୍ରାମକୁ ଫେରିବାକୁ ଭୟ ପ୍ରକାଶ କରୁଛନ୍ତି। ଏହା ସହିତ ସେ ଘରକୁ ଫେରିବେ ନାହିଁ ଭିମସାରରେ ଏହି ଲକ ଡ଼ାଉନରେ ରହିଯିବେ ବୋଲି କାନ୍ଦି କାନ୍ଦି କହିଛନ୍ତି। ସେପଟେ ଭିମସାରର ମୃତାଙ୍କ ସ୍ୱାମୀ ସୁରେଶର ଖାଇବା ଏବଂ ରହିବା ପାଇଁ ବ୍ୟବସ୍ତା ଡ଼ାକ୍ତର ରାମଚନ୍ଦାନି କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories