ଦୁବାଇ : ୨୦୨୦ରେ ଅଷ୍ଟ୍ରେଲିଆରେ ଉଭୟ ମହିଳା ଓ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୦ ଫେବୃଆରୀ ୨୧ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମହିଳା ଟି୨୦ ବିଶ୍ବକପ ଓ ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ପୁରୁଷ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଅଷ୍ଟ୍ରେଲିଆର ୮ଟି ସହରରେ ଥିବା ୧୩ଟି ଷ୍ଟାଡିୟମରେ ଏହି ଦୁଇଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକ ଆୟୋଜିତ ହେବ ବୋଲି ଆଇସିସି ପକ୍ଷରୁ ଜଣାପଡିଛି।
ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଏମାନଙ୍କୁ ଦୁଇଟି ଗ୍ରୁପ୍ ଯଥା ଗ୍ରୁପ୍-‘ଏ’ ଓ ଗ୍ରୁପ୍-‘ବି’ରେ ବିଭକ୍ତ କରାଯାଇଛି। ଗ୍ରୁପ୍-‘ଏ’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଭାରତ, ଶ୍ରୀଲଙ୍କା ଓ କ୍ବାଲିଫାୟର-୧ ସ୍ଥାନ ପାଇଥିବାବେଳେ ଗ୍ରୁପ୍-‘ବି’ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ କ୍ବାଲିଫାୟର-୨ ରହିଛନ୍ତି। ଆଇସିସି ମାନ୍ୟତା ତାଲିକା ଅନୁଯାୟୀ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବାବେଳେ ଅବଶିଷ୍ଟ ୨ଟି ସ୍ଥାନ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଫେବୃଆରୀ ୨୧ରେ ସିଡ୍ନୀରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳ ନିଜର ଅଭିଯାନ ଆରମ୍ଭ କରୁଥିବାବେଳେ ୨୪ରେ କ୍ବାଲିଫାୟର-୧କୁ, ୨୭ରେ ନ୍ୟୁଜିଲାଣ୍ଡକୁ ଓ ୨୯ରେ ଶ୍ରୀଲଙ୍କାର ସମ୍ମୁଖୀନ ହେବ। ଭାରତୀୟ ଦଳର ୨ୟ ଗ୍ରୁପ୍ ମ୍ୟାଚ ପର୍ଥରେ ଓ ଶେଷ ଦୁଇଟି ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯିବ।
ଟୁର୍ଣ୍ଣାମେଣ୍ଟର ଫର୍ମାଟ ଅନୁଯାୟୀ ଦୁଇଟି ଗ୍ରୁପ୍ର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ମାର୍ଚ୍ଚ ୫ରେ ଦୁଇଟି ସେମିଫାଇନାଲ ମ୍ୟାଚ ସିଡ୍ନୀରେ ଓ ମାର୍ଚ୍ଚ ୮ରେ ଫାଇନାଲ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯିବ।
୨୦୨୦ ଅକ୍ଟୋବର ୧୮ରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଆୟୋଜକ ଅଷ୍ଟ୍ରେଲିଆ ସମେତ ଆଇସିସି ମାନ୍ୟତା ତାଲିକାରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ଥିବା ଦଳଗୁଡିକ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିମଧ୍ୟରୁ ଶ୍ରେଷ୍ଠ ୮ଟି ଦଳ ’ସୁପର-୧୨’ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଶ୍ରୀଲଙ୍କା ଓ ବାଂଲାଦେଶକୁ ଗ୍ରୁପ୍ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡିବ। ସୁପର-୧୨ର ଦଳଗୁଡିକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍-ଏ’ରେ ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ ୧ ନଂ ଓ ପ୍ରଥମ ରାଉଣ୍ଡ ଗ୍ରୁପ୍-ବି ୨ ନଂ ଦଳ ସ୍ଥାନ ପାଇଥିବାବେଳେ ଗ୍ରୁପ୍-ବି’ରେ ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ପ୍ରଥମ ରାଉଣ୍ଡ ଗ୍ରୁପ୍-ବି’ ନଂ୧ ଓ ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ ନଂ ୨ ଦଳକୁ ସ୍ଥାନିତ କରାଯାଇଛି। ଅକ୍ଟୋବର ୧୮ରୁ ୨୩ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ମ୍ୟାଚ ଆୟୋଜିତ ହେବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ୪ଟି ଦଳ ସୁପର-୧୨କୁ ଉନ୍ନୀତ ହେବେ। ଅକ୍ଟୋବର ୨୪ରୁ ’ସୁପର-୧୨’ ପର୍ଯ୍ୟାୟ ଆରମ୍ଭ ହେବ। ଅକ୍ଟୋବର ୨୪ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ପୁରୁଷ ଦଳ ନିଜର ଅଭିଯାନ ଆରମ୍ଭ କରୁଥିବାବେଳେ ୨୯ରେ ମେଲବୋର୍ଣ୍ଣରେ ଗ୍ରୁପ୍-ଏ’ର ୨ ନଂ ଦଳକୁ, ୧ ନଭେମ୍ବରରେ ମେଲବୋର୍ଣ୍ଣରେ ଇଂଲଣ୍ଡକୁ, ୫ ନଭେମ୍ବରରେ ଆଡିଲେଡ୍ରେ ଗ୍ରୁପ୍-ବି’ର ୧ ନଂ ଦଳକୁ ଓ ୮ ନଭେମ୍ବରରେ ସିଡ୍ନୀରେ ଆଫଗାନିସ୍ତାନକୁ ଭେଟିବ।

ଟୁର୍ଣ୍ଣାମେଣ୍ଟର ଫର୍ମାଟ ଅନୁଯାୟୀ ଦୁଇଟି ଗ୍ରୁପ୍ର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ୧୧ ଓ ୧୨ ନଭେମ୍ବରରେ ଦୁଇଟି ସେମିଫାଇନାଲ ଯଥାକ୍ରମେ ସିଡ୍ନୀ ଓ ଆଡିଲେଡ୍ରେ ଏବଂ ୧୫ ନଭେମ୍ବରରେ ଫାଇନାଲ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯିବ।



