ଅର୍ଦ୍ଧସାମରିକ ବାହିନୀ ପାଇଁ ତିଆରି ହେବ ୨ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ୍

ନୂଆଦିଲ୍ଲୀ: ଦେଶର ଅର୍ଦ୍ଧସାମରିକ ବାହିନୀ ପାଇଁ ୨ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ (ଭାବା କବଚ) ତିଆରି କରିବ ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡ (ଓଏଫବି। ପୂର୍ବରୁ ଏହି ଜ୍ୟାକେଟ ବିଦେଶରୁ ମଗାଯାଉଥିବାବେଳେ ମେକ ଇନ ଇଣ୍ଡିଆ ଯୋଜନାରେ ଏହି ଜ୍ୟାକେଟ ତିଆରି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଅର୍ଡନାନ୍ସ ଇକ୍ୟୁପମେଣ୍ଟ ଫ୍ୟାକ୍ଟ୍ରି କାନପୁରର ଅତିରିକ୍ତ ସାଧାରଣ ପରିଚାଳକ ଭିକେ ଚୌଧୁରୀ କହିଛନ୍ତି ଯେ ସେନା ପାଇଁ ୨ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ ତିଆରି ଲାଗି ନିର୍ଦେଶ ମିଳିଛି। ଏଥିରୁ ସିଆରପିଏଫ ୫୦ହଜାର, ବିଏସଏଫ, ଏସଏସବି ଓ ସିଆଇଏସଏଫ ପାଇଁ ୨୫ହଜାର ଲେଖାଏଁ ଓ ଆଇଟିବିପି ପାଇଁ ୨୦ହଜାର ଦିଆଯିବ। ପଞ୍ଜାବ, ହିମାଚଳ ପ୍ରଦେଶ ପୁଲିସ ପାଇଁ ୫୦୦ ଲେଖାଏଁ ଏବଂ ଓଡିଶା ଓ ଛତିଶଗଡ ପୁଲିସ ପାଇଁ ୧୦୦୦ ଲେଖାଏଁ ଜ୍ୟାକେଟ ତିଆରି ପାଇଁ ନିର୍ଦେଶ ମିଳିଥିବା ଚୌଧୁରୀ କହିଛନ୍ତି। ଏହି ବୁଲେଟ ପ୍ରୁଫ୍ ଜ୍ୟାକେଟର ମୂଲ୍ୟ ଗୋଟିକୁ ୭୫ହଜାର ଟଙ୍କା ହୋଇଥିବାବେଳେ ଏହାର ଓଜନ ୯.୨ କିଲୋ। ଏହା ଏକେ-୪୭ର ୭.୬୨ ଏମଏମ, ୫.୫୬ ଏମଏମ୍ ଇନସାସ ରାଇଫଲ ବୁଲେଟ୍‌କୁ ପ୍ରତିରୋଧ କରିପାରିବ।

Comments are closed.