ଭୁବନେଶ୍ୱର: ନିଜକୁ ଆଇଏଏସ (ଅତିରିକ୍ତ ଶାସନ ସଚିବ) ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ଭାବରେ ପରିଚୟ ଦେଇ ୧.୧୭ କୋଟି ଟଙ୍କାରୁ ଅଧିକ ଠକି ନେଇଥିବା ଦୁଇଜଣଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶୁକ୍ରବାର ଗିରଫ କରିଛି । ଗିରଫ ଦୁଇଜଣଙ୍କ ନାମ ସୂର୍ଯ୍ୟମଣି ତ୍ରିପାଠୀ ଏବଂ ଅମିତ କୁମାର ବୋଲି ଜଣାଯାଇଛି । ସେମାନଙ୍କ ନାମରେ ଇଓଡବ୍ଲୁ ଥାନା କେସ ନମ୍ବର ୧୪, ତା୨୮.୧୦.୨୦୨୧ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୧୯/୪୨୦/୪୬୭/୪୬୮/୪୭୧/୧୨୦-ବିରେ ମାମଲା ରୁଜ୍ଜୁ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଏସଡିଜେଏମ ଅଦାଲତରେ ହାଜର କରାଯାଇଛି ।
ଜଣାଯାଇଛି ଯେ ନୂଆଦିଲ୍ଲୀସ୍ଥିତ ଆସଫ ଅଲି ରୋଡରେ ଥିବା ମେସର୍ସ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ, ଜିନ୍ଦଲ ହାଉସର ସ୍ୱତ୍ୱାଧିକାରୀ ରିକବ ଚାନ୍ଦ ମୁନୋତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ଅଭିଯୁକ୍ତ ରାଜେଶ ଗେହଲଟ, ସୂର୍ଯ୍ୟମଣି ତ୍ରିପାଠୀ ଏବଂ ଅମିତ କୁମାର ଅନ୍ୟ ଜଣଙ୍କ ସହିତ ମିଶି ଏକ ଅସାଧୁ ମେଣ୍ଟ କରିବା ସହିତ ନିଜକୁ ର’, ଆଇଏଏସ ଏବଂ ପୂର୍ତ୍ତ ବିଭାଗ ଅଧିକାରୀ ଭାବରେ ପରିଚୟ ଦେଇ ଅଭିଯୋଗକାରୀ ଓ ତାଙ୍କ ପୁଅଙ୍କୁ ୧.୧୭ କୋଟି ଟଙ୍କାରୁ ଅଧିକ ଅର୍ଥ ଠକି ନେଇଥିଲେ । ଉକ୍ତ ଘଟଣାରେ ଜଣେ ମହିଳା ମଧ୍ୟ ନିଜକୁ ଟ୍ରେଜେରୀ ଅଫିସର ଭାବରେ ପରିଚୟ ଦେଇ ସେମାନଙ୍କୁ ଠକିଥିଲେ । ଓଡ଼ିଶାରେ ପୂର୍ତ୍ତ ବିଭାଗରେ ବଡ ଧରଣର ସରକାରୀ କାର୍ଯ୍ୟର ଠିକା ଯୋଗାଇଦେବା ଲୋଭ ଦେଖାଇ ସେମାନେ ଏହି ଅର୍ଥ ଠକି ନେଇଥିଲେ ।
ନିଜକୁ ଆଇଏଏସ ଓ ପୂର୍ତ୍ତ ବିଭାଗ ଅଧିକାରୀ ପରିଚୟ ଦେଇ ଠକୁଥିବା ୨ ଗିରଫ
Popular Categories



