ନକଲି ପ୍ରମାଣ ପତ୍ର ଜରିଆରେ ଲୋକଙ୍କୁ ଠକୁଥିବା ଦୁଇ ଠକ ଗିରଫ ଓ କୋର୍ଟ ଚାଲାଣ
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ସରଣ୍ଡା ଛକରେ ବୁଧବାର ଦୁଇଜଣ ଠକଙ୍କୁ ଅତାବିରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାରର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡର ସୁଶାନ୍ତ ପ୍ରଧାନ(୪୨) । ଆଜି ଜାତୀୟ ରାଜପଥରେ ପୁଲିସ ଯାନ ବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି ଠକମାନଙ୍କୁ ଧରିଥିଲେ। ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ସୁକାନ୍ତ ଆଚାର୍ଯ୍ୟ ନାମକ ଏହି ଠକ ଜଣକ ସମ୍ବଲପୁର ଅଭିମୁଖେ ଏକ ବାଇକରେ ଯାଉଥିବା ବେଳେ ପୁଲିସ ସନ୍ଦେହରେ ତାଙ୍କୁ ଅଟକାଇ ବାଇକର କାଗଜପତ୍ର ଓ ଆଧାର କାର୍ଡ ଯାଞ୍ଚ କରିଥିଲେ। ହେଲେ ଆଧାର କାର୍ଡ ଟି ନକଲି ଥିଲା ,ତେଣୁ ତାକୁ ଅଧିକ ପଚରା ଉଚୁରା କଲାପରେ ସେ ନିଜର ସମସ୍ତ କାରନାମା ବଖାଣି ଥିଲେ ।
ଠକ ଜଣକ କହିଥିଲା ଯେ ଧନୁପାଲି କ୍ରିଷ୍ଣା ମିଠା ଦୋକାନ ପାଖରେ ତାର ଏକ ରବର ଷ୍ଟାମ୍ପ ଦୋକାନ ରହିଛି।ଠାରେ ତାର ସାଥୀ ସୁଶାନ୍ତ ସହ ମିଶି ନକଲି ଆଧାର କାର୍ଡ, ଭୋଟର କାର୍ଡ,ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଆର୍ ସି ସ୍ମାର୍ଟ କାର୍ଡ, ୟୁନିଭରସିଟି ସାର୍ଟିଫିକେଟ, ଗଙ୍ଗାଧର ମେହେର କଲେଜର ମାର୍କ ସିଟ୍, ଦଶମ ଶ୍ରେଣୀର ବୋର୍ଡ ସର୍ଟିଫିକେଟ, ବିଦ୍ୟୁତ୍ ବିଲ, ଜନ୍ମ ମୃତ୍ୟୁ ସାଟିର୍ଫିକେଟ୍ ଆଦି ତିଆରି କରି ଲୋକଙ୍କୁ ଦେଇ ପଇସା ନେଇଥାନ୍ତି । ଏହା ତାଙ୍କର ମୁଖ୍ୟ ଧନ୍ଦା।ପୋଲିସ ସୁକାନ୍ତକୁ ଗିରଫ କରି ତାର ଦେଇଥିବା ଠିକଣା ଜାଗାରେ ପହଞ୍ଚି ସୁଶାନ୍ତକୁ ମଧ୍ୟ ଗିରଫ କରିଥିଲା । ଏହା ସହ ଏମାନଙ୍କ ପାଖରୁ ଇଲେକ୍ଟ୍ରୋନିକ ଏଲଇଡି ମନିଟର, କି ବୋର୍ଡ, ମାଉସ, ସ୍କାନର, କଲର ପ୍ରିଣ୍ଟର, ସିପିୟୁ, ଲାପ ଟପ୍ ସହିତ ବିଭିନ୍ନ ଜାଲିଆତି ଓ ନକଲି କାର୍ଡ, ସାର୍ଟିଫିକେଟ, ଦୁଇଟି ମୋବାଇଲ, ଗୋଟିଏ ମୋବାଇଲ, ଖାଲି ମାଲଗୁଜାରି ରସିଦ, ସାର୍ଟିଫିକେଟ, ଇସି, ଓ ନଗଦ ୮୪,୪୦୦ ଟଙ୍କା ଜବତ କରାଯାଇଛି। ସୁକାନ୍ତ ବିଭିନ୍ନ ସ୍ଥାନକୁ ଯାଇ ଗ୍ରାହକ ଠିକ୍ କରିଥାଏ ବୋଲି ପ୍ରକାଶ କରିଛି । ଏମାନଙ୍କ ବିରୁଦ୍ଧରେ ବିଭିନ୍ନ ଦାରାରେ ମାମଲା ରୁଜୁ କରି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ଜିଲ୍ଲା ଏସଡିପିଓ ଅମିତ୍ କୁମାର ପଣ୍ଡା, ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ଏସଆଇ ଯାଦବ ବାଗ, ଅନୀମା ଏକା, ବିପିନ ବାଗ, ଏଏସ୍ଆଇ ଲଳିତ ନାଗଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଥିଲା।
Comments are closed.