ରାଜ୍ୟର ଅଭିବୃଦ୍ଧି ହାର ଉଚ୍ଚା ଥିଲେ ମଧ୍ୟ ଏହା ଅସ୍ଥିର ଓ ବିସଙ୍ଗତ : ପଞ୍ଚଦଶ ଅର୍ଥ ଆୟୋଗ
-ରାଜ୍ୟର ଉଚ୍ଚ ଅଭିବୃଦ୍ଧି ହାର ଅସ୍ଥିର
-ଜନସଂଖ୍ୟା ଅନୁପାତରେ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା ଓ ଡାକ୍ତର ସୃଷ୍ଟି ଉପରେ ଗୁରୁତ୍ୱ
-ଖାଦ୍ୟ ଉତ୍ପାଦନ ହାର ବଢ଼ାଇବା ପାଇଁ ପରାମର୍ଶ
-ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ବିକାଶର ଆବଶ୍ୟକତା
ରାଜ୍ୟ ସରକାରଙ୍କ ସହ ପଂଚଦଶ ଅର୍ଥ ଆୟୋଗଙ୍କ ବୈଠକ
ଭୁବନେଶ୍ୱର : ପଞ୍ଚଦଶ ଅର୍ଥ ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୋଗଙ୍କ ପକ୍ଷରୁ ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ, ସଂସଦୀୟ ବ୍ୟାପାର ଏବଂ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟର ପ୍ରଗତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କେତେକ ପଦକ୍ଷେପ ଉପରେ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ଦାରୀଦ୍ର୍ୟ ହାର ହ୍ରାସ ଲାଗି ଅନେକ କିଛି କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ମୁଣ୍ଡପିଛା ଆୟ ବଢ଼ାଇବା ଦିଗରେ ଅଧିକ ପଦକ୍ଷେପର ଆବଶ୍ୟକତା ରହିଛି। ଅପରପକ୍ଷରେ ରାଜ୍ୟର ଅଭିବୃଦ୍ଧି ହାର ଉଚ୍ଚା ରହୁଥିବା ଦର୍ଶାଯାଇଥିଲେ ହେଁ ଏହା ନିୟମିତ ଭାବେ ଅସ୍ଥିର ଓ ବିସଙ୍ଗତ ରହୁଥିବା ନେଇ ଆୟୋଗ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମିଳିତ ପ୍ରୟାସ ଯୋଗୁଁ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ମାକ୍ରୋ-ଅର୍ଥନୈତିକ ଶକ୍ତି ତଥା ପରିଚାଳନା ସୁଦୃଢ଼ ରହିଥିବା ଆୟୋଗର ଅଧ୍ୟକ୍ଷ ମତ ଦେଇଥିଲେ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇଏମଆର ଏବଂ ଏମଏମଆର କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରୁଥିଲେ ହେଁ ଜନସଂଖ୍ୟା ତୁଳନାରେ ଡାକ୍ତରଙ୍କ ଅନୁପାତ ଗ୍ରହଣୀୟ ସ୍ତରଠାରୁ କମ୍ ରହିଛି। ତେବେ ଏହି ସଂଖ୍ୟା ବଢ଼ାଯିବାକୁ ପଡିବ ବୋଲି ଅଧ୍ୟକ୍ଷ କହିଥିଲେ। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି ଲାଗି ଅଧିକ ମେଡ଼ିକାଲ କଲେଜ ଏବଂ ହସପିଟାଲ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଶିକ୍ଷା କ୍ଷେତ୍ରରେ ଆୟୋଗ ଅନୁଭବ କରିଥିଲେ ଯେ ଗବେଷଣା ଏବଂ ବିକାଶ ସମେତ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱାରୋପ କରାଯିବାର ଆବଶ୍ୟକତା ରହିଛି। ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ବିକାଶର ଆବଶ୍ୟକତା ରହିଛି।
ରାଜ୍ୟବ୍ୟାପୀ ଦାରିଦ୍ର୍ୟ ଦୂରୀକରଣ ଲାଗି ନିଆଯାଇଥିବା ପଦକ୍ଷେପ ନିମନ୍ତେ ଆୟୋଗ ସନ୍ତୋଷ ପ୍ରକାଶ କରିଥିଲେ ହେଁ ଜାତୀୟ ମାନଦଣ୍ଡ ସହ ସମକକ୍ଷ ହେବା ଲାଗି ଏଥିରେ ଆହୁରି ଅନେକ କିଛି ଉନ୍ନତି ଆଣିବାର ଆବଶ୍ୟକତା ରହିଛି। କୃଷି ସଂକ୍ରାନ୍ତ ଆଲୋଚନା ସମୟରେ ଆୟୋଗ ରାଜ୍ୟର ଧାନ ସମେତ ସାମଗ୍ରୀକ ଖାଦ୍ୟ ଉତ୍ପାଦନ ହାର ବଢ଼ାଇବା ସପକ୍ଷରେ ମତ ଦେଇଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ କୋଇଲା ଖଣି ଅଞ୍ଚଳର ବିକାଶ ନିମନ୍ତେ ଖର୍ଚ୍ଚ ଲାଗି ସ୍ୱଚ୍ଛ ଶକ୍ତି ସେସ୍ ବସାଯିବା ଲାଗି ଦାବି କରାଯାଇଛି। ଏ ଦିଗରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି ବୋଲି ଆୟୋଗ ପ୍ରତିଶ୍ରୁତି ଦେଇଥିଲେ। ଓଡିଶାରେ ପ୍ରାକୃତିକ ସମ୍ବଳ ଭରପୁର ହୋଇ ରହିଥିବା ବେଳେ ଏହାର ସଦୁପଯୋଗ କରାଯିବା ଆବଶ୍ୟକ। ବିନିର୍ମାଣ କ୍ଷେତ୍ରରେ ଓଡିଶାକୁ ଏକ ହବ୍ରେ ପରିଣତ କରାଯାଇପାରିବ ବୋଲି ଆୟୋଗଙ୍କ ହୃଦବୋଧ ହୋଇଛି।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ସହାୟତା ବୃଦ୍ଧି ନେଇ ରାଜ୍ୟ ସରକାର ଦାବୀ ରଖିଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟ ପ୍ରସଙ୍ଗରେ ରାଜ୍ୟର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ବିବେଚନା କରାଯାଉଥିବା ନେଇ ଆୟୋଗ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ।
ଓଡିଶାର ସ୍ଥିତି ପ୍ରତି ସ୍ୱତନ୍ତ୍ର ବିଚାର କରି କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ୯୦:୧୦ ଅନୁପାତରେ ସହାୟତା ପ୍ରଦାନର ଆବଶ୍ୟକତା ରହିଛି ବୋଲି ଆୟୋଗଙ୍କ ନିକଟରେ ଦାବୀ କରାଯାଇଛି। ସେହିଭଳି ରାଜସ୍ୱ ନିଅଣ୍ଟ ବାବଦ ଅନୁଦାନ ପ୍ରଦାନ ଦାବୀ ସମ୍ପର୍କରେ ମଧ୍ୟ ଆୟୋଗ ତର୍ଜମା କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି।
ରାଜ୍ୟ ସରକାରଙ୍କ “କାଳିଆ” ଯୋଜନା ନେଇ ମଧ୍ୟ ପଞ୍ଚଦଶ ଅର୍ଥ ଆୟୋଗ ଆଲୋଚନା କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ ଦ୍ୱାରା ପାରଦର୍ଶିତା ଏବଂ ବିଶ୍ୱସନୀୟତା ହାସଲ କରାଯିବା ସମ୍ଭବ ହେବ ବୋଲି ଆୟୋଗ ଆଶା ବ୍ୟକ୍ତ କରିଥିଲେ।
ଏଥିପୂର୍ବରୁ, ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସର୍ବାଧିକ ଗଠନମୂଳକ ଏବଂ ଉତ୍ସାହବର୍ଦ୍ଧକ ଆଲୋଚନା କରିଥିଲେ। ଏଥିରେ ବହୁ ବିଚାର ଏବଂ ମତ ବିନିମୟ ହୋଇଥିଲା, କିଛି ଚିରାଚରିତ ଏବଂ କିଛି ଅଭିନବ ଥିଲା। ସେସ ଏବଂ ସରଚାର୍ଜ ସମାନ ଭାବେ ଭାଗ ହେବା ଯୋଗ୍ୟ ପୁଲ ମଧ୍ୟରେ ରହିବା ଉଚିତ ବୋଲି ଉଭୟ ପକ୍ଷ ସହମତ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଯଦି କୌଣସି କଠିନ ବାଧା ଉତ୍ପନ୍ନ ହୁଏ ଆୟୋଗ ଏହାର ସଲମ୍ବ ସମାଧାନ କରିବା ଦିଗରେ ନିଶ୍ଚିତ ଭାବେ ଧ୍ୟାନ ଦେବେ। ଐତିହ୍ୟ ବିଶ୍ୱବିଦ୍ୟାଳୟ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ ପ୍ରତିଷ୍ଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ହୋଇଥିବା ଦୃଷ୍ଟିରୁ ଏପରି ସଂସ୍ଥାନ ପ୍ରତିଷ୍ଠା ଲାଗି ସାମ୍ବିଧାନିକ ବାଧା ରହିଛି ଏବଂ ଏଥିପ୍ରତି ସାବଧାନତା ପୂର୍ବକ ବିଚାର କରାଯିବ ବୋଲି
ଆୟୋଗ ହୃଦବୋଧ କରିଥିଲେ।
ରାଜନୈତିକ ଦଳଗୁଡ଼ିକ ସମ୍ବିଧାନର ସପ୍ତମ ଅନୁଚ୍ଛେଦର ଅବକ୍ଷୟ ନେଇ ଚିନ୍ତାବ୍ୟକ୍ତ କରିଥିଲେ।