www.samajalive.in
Saturday, December 6, 2025
14.1 C
Bhubaneswar

ମଧୁମେହ ନିରବ ମହାମାରୀ: ରାଜ୍ୟପାଳ 

କଟକ: ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ବାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି। ଏହା ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ସମାଜର ସବୁବର୍ଗର ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି। ଏହାର ମୁକାବିଲା ପାଇଁ ସଚେତନତାର ଆବଶ୍ୟକତା ରହିଛି। ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ବାସ୍ଥ୍ୟ ସଚେତନତା ସଂସ୍କୃତି ସୃଷ୍ଟି ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ଦରକାର। ମଧୁମେହ ଏବେ ଏକ ନିରବ ମହାମାରୀରେ ପରିଣତ ହୋଇଛି ବୋଲି ରାଜ୍ୟପାଳ ଡ.ହରିବାବୁ କମ୍ଭମ୍‌ପାଟି କହିଛନ୍ତି।
ଏସସିବି ମେଡ଼ିକାଲ ଓ କଲେଜର ସେଣ୍ଟ୍ରାଲ ଅଡିଟୋରିୟମରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ୍‌ ଇନ ଇଣ୍ଡିଆ (ଆରଏସଏସଡିଆଇ) ଓଡ଼ିଶା ଚାପ୍ଟରର ୧୩ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି ଯେ, ମଧୁମେହ କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଏ ଦିଗରେ ସ୍ବାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। କର୍କଟ, ମଧୁମେହ, ହୃଦ୍‌ରୋଗ ଏବଂ ଷ୍ଟ୍ରୋକ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ନିଶ୍ଚିତ କରିବା ନିମନ୍ତେ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ, ଗବେଷକ ଏବଂ ସାମାଜିକ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ।
ହାଇଦରାବାଦ ଆପୋଲୋ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଡା. ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡା.ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡ.ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡା.ସୁରେଶ କୁମାର ବଂଶଲ ଯୋଗଦେଇ ମଧୁମେହ ରୋଗର ନିରାକରଣ ଉପରେ ମତ ରଖିଥିଲେ। ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଂଗଠନିକ ସମ୍ପାଦକ ଡା.ଦେବାର୍ଚ୍ଚନ ଜେନା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ କୃତିତ୍ବ ପାଇଁ ପ୍ରଫେସର ଡା. ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆରଏସଏସଡିଆଇ ରୁରାଲ ଆଉଟରିଚ ପ୍ରୋଗ୍ରାମର ଶୁଭାରମ୍ଭ ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଦସ୍ୟ, ଡାକ୍ତର ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories