www.samajalive.in
Sunday, December 7, 2025
16.1 C
Bhubaneswar

ଆଜିଠୁ ଅପରେସନ୍‌ ‘ପ୍ରହାର’: ଗାଁ ଗାଁରେ ଭାଙ୍ଗିଲେ ଭାଟି ଓ ବ୍ରାଉନସୁଗର ଖଟି

ଭୁବନେଶ୍ବର: ନିଶାମାଫିଆ ଓ କାରବାର କରୁଥିବା ବେପାରୀଙ୍କୁ ମିଳିବ ମୁହଁତୋଡ଼ ଜବାବ। ନିଶା କାରବାରକୁ ଦମନ ଲାଗି ଆଜିଠାରୁ ଆରମ୍ଭ ହେଉଛି ଅପରେସନ୍‌ ପ୍ରହାର। ବେଆଇନ ମାଦକ ଦ୍ରବ୍ୟ ବିକ୍ରି ଓ ଚୋରାଚାଲାଣ ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ ହେବ। ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ‌ବେଆଇନ ନିଶାକୁ ମୂଳପୋଛ ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ନିଶା କାରବାର ବନ୍ଦ ଅଭିଯାନ ପୂର୍ବରୁ ରାଜ୍ୟରେ ତାତିଲେଣି ମହିଳା। ନିଶାକୁ ବିରୋଧ କରିବା ସହ ବେଆଇନ ମଦ ଭାଟି ଉଚ୍ଛେଦ ଲାଗି ଆଗେଇ ଆସିଛନ୍ତି ମହିଳା। ନିଶା କାରବାରକୁ ବିରୋଧ କରିବା ସହ ଶାଣିତ ଭାବେ ସ୍ବର ଉଠାଇ ଆଇନକୁ ହାତକୁ ନେଲେଣି। କେନ୍ଦୁଝରରୁ ନବରଙ୍ଗପୁର; ଖୋର୍ଦ୍ଧାରୁ ଯାଜପୁର। ସାରା ରାଜ୍ୟରେ ମହିଳାମ‌ାନେ ନିଶା କାରବାର ବିରୋଧରେ ସ୍ବର ଉଠାଇଲେଣି। ଗାଁ ଗାଁରେ ମହିଳାମାନେ ରାଜରାସ୍ତା ଘେରିବା ସହ ମଦ ଦୋକାନ ଓ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ଘର ଭାଙ୍ଗିଲେଣି। ଏପରିକି ପୁଲିସ ଓ ପ୍ରଶାସନ ଶୁଣୁନଥିବାରୁ ଉତ୍ତ୍ୟକ୍ତ ମହିଳାମାନେ ମଦ ଭାଟି କିମ୍ବା ବେଆଇନ ନିଶା କାରବାର କରୁଥିବା ବେପାରୀଙ୍କ ଘରେ ନିଆଁ ଲଗାଇ ଦେଲେଣି।

ରବିବାର କେନ୍ଦୁଝର ଜିଲା ହରିଚନ୍ଦନପୁର ପଞ୍ଚାୟତ ବାଉଁଶନାଳି ଗାଁ ପାଖ ଜଙ୍ଗଲରେ ଥିବା ଏକ ସରକାର ଦେଶୀ ମଦ ଭାଟିରେ ମହିଳାମାନେ ନିଆଁ ଲଗାଇ ଦେଇଛନ୍ତି। ୫ଟି ଗାଁର ଶତାଧିକ ଆଦିବାସୀ ମହିଳା ଏକତ୍ର ହୋଇ ଦେଶୀ ମଦ ଭାଟିକୁ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଛନ୍ତି। ମଦ କାରବାର ଯୋଗୁଁ ଘରର ପୁରୁଷମାନେ ନିଶାସେବନ କରୁଥିବାରୁ ପରିବାର ଉଜୁଡ଼ି ଯାଉଛି। ଗାଁ ନିକଟରୁ ଦେଶୀ ମଦ ଭାଟି ସ୍ଥାନାନ୍ତର କରିବାକୁ ଅଞ୍ଚଳର ମହିଳାମାନେ ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ମଦଭାଟି ସ୍ଥାନାନ୍ତର ଲାଗି କୌଣସି ପଦପେକ୍ଷ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମହିଳାମାନେ ତାତିଥିଲେ। ମଦ ଭାଟିକୁ ଭାଙ୍ଗିରୁଜି ଚୂରମାର କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଅନୁରୂପ ଭାବେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସନ୍ଧିମୁଣ୍ଡା ସ୍ଥିତ ସରକାର ମଦ ଭାଟିକୁ ଦୁଇଟି ଗ୍ରାମ ପଞ୍ଚାୟତର ଲୋକମାନେ ବିରୋଧ କରିଛନ୍ତି। ଗତକାଲି ଉକ୍ତ ପଞ୍ଚାୟତର ଶତାଧିକ ମହିଳା ଓ ଯୁବକ ମଦ ଭାଟି ଘେରିଥିଲେ। ଦେଶୀ ମଦ ପ୍ୟାକେଟ୍‌ ଫିଙ୍ଗା ଫୋପଡ଼ା କରି ନଷ୍ଟ କରିଥିଲେ। ଦୁଇଦିନ ତଳେ ଯାଜପୁର ଟାଉନ ଥାନା ଅଞ୍ଚଳରେ ଥିବା ଏକ ମନ୍ଦିର ନିକଟରେ ବ୍ରାଉନସୁଗର କାରବାର ଚାଲୁଥିବାବେଳେ ମହିଳାମାନେ ୩ କଲେଜ ପଢ଼ୁଆ ଛାତ୍ରଙ୍କୁ କାବୁ କରିଥିଲେ। ବ୍ରାଉନସୁଗର କାରବାର କରୁଥିବା ବ୍ୟକ୍ତିଙ୍କ ଘ‌ର ଭାଙ୍ଗିବା ସହ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଯୁବପିଢ଼ିଙ୍କୁ ବ୍ରାଉନସୁଗର ଓ ଗଞ୍ଜେଇ ଭଳି ନିଶା ଯୋଗାଉଥିବା ଅଭିଯୋଗରେ ତାତିଥିଲେ ମହିଳା। ଭଦ୍ରକ ଓ ଖୋର୍ଦ୍ଧାରେ ବ୍ରାଉନସୁଗର ଓ ମଦ କାରବାରକୁ ନେଇ ମହିଳାମାନେ ରାଜରାସ୍ତାରେ ଧାରଣା ଦେଇଥିଲେ। ଭଦ୍ରକରେ ମଦ ଦୋକାନ ସ୍ଥାନାନ୍ତର ସହ ଖୋର୍ଦ୍ଧାରେ ବ୍ରାଉନସୁଗର ମାଫିଆଙ୍କ ଘର ଭାଙ୍ଗି ଦେଇଥିଲେ। ବ୍ରାଉନସୁଗର କାରବାର କରୁଥିବା ୩ଟି ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ନିଶା କାରବାର ବନ୍ଦ ଲାଗି ମହିଳାମାନେ ଆହ୍ବାନ ଦେଇଥିଲେ।

- Advertisement -

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ସଦସ୍ୟଙ୍କ ମନୋନୟନ ସରିଛି। ବିଭିନ୍ନ ତଦନ୍ତକାରୀ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ କିପରି ବେଆଇନ ନିଶା କାରବାର ରୋକାଯାଇପାରିବ, ସେଦିଗରେ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ଜିଲାକୁ ଜୋନ୍‌ରେ ବିଭକ୍ତ କରାଯାଇଛି ଏସ୍‌ଟିଏଫ୍‌, ଅବକାରୀ, ଜିଲା ପୁଲିସ ଓ ଏନ୍‌ସିବିର ମିଳିତ ଦଳ ପକ୍ଷରୁ ଚଢ଼ଉ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାସ ଭିତରେ ରାଜ୍ୟରେ ୧୬୦୮ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୩୮୫ଟି ମାମଲାରେ ୧୧୬୨ଜଣଙ୍କୁ ଗିରଫ କରାଯାଇଛି। ୯ କିଲୋ ୭୯୯ଗ୍ରାମ୍‌ ବ୍ରାଉନସୁଗର ସହ ୧୪୨ଟି ମାମଲାରେ ୨୯୨ଜଣଙ୍କୁ ଗିରଫ କରାଯାଇଛି। ୨୬,୮୭୪ବୋତଲ କଫ୍‌ ସିରପ ଜବତ ସହ ୮୩ଜଣଙ୍କୁ ଗିରଫ କରାଯାଇଛି। ୨୭,୭୨୨ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୬୩୨ ମାମଲା ରୁଜୁ କରାଯାଇଛି। ବେଆଇନ ମାଦକ ଦ୍ରବ୍ୟ ଚୋରାଚାଲାଣ, ତଦନ୍ତ, ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories