ପାକିସ୍ତାନର ବନ୍ଦର ସହର କରାଚୀର ଶେରଶାହ ସ୍ତିତ ପାରାଚା ଛକ ଅଞ୍ଚଳରେ ଏକ ଡ୍ରେନ ଦେଇ ଯାଉଥିବା ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଏକ ଘରୋଇ ବ୍ୟାଙ୍କ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ଅନେକ ଲୋକ ଧ୍ବଂସସ୍ତୁପ ତଳେ ଦବି ରହିଥିବା ସୂଚନା ମିଳିଛି। ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲ୍ଲୀ ଶାହ ପାରାଚା ଛକ ଅଞ୍ଚଳ ବିସ୍ଫୋରଣ ଘଟଣାର ତଦନ୍ତ କରିବାକୁ କରାଚୀ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଓ ନ୍ୟୁଜ୍ ସାହିଦ ମହତରମା ବେନଜିର ଭୁଟ୍ଟୋ ହସ୍ପିଟାଲ୍ ଟ୍ରମା ସେଣ୍ଟରର ଡାକ୍ତର ସାବୀର ମେମୋନ କହିଛନ୍ତି ଯେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ସେ କହିଛନ୍ତି।
ଷ୍ଟେସନ ହାଉସ ଅଧିକାରୀ ଜାଫର ଅଲି ଶାହ କହିଛନ୍ତି ଯେ ପାଇପ ଲାଇନ ପାର୍ଶ୍ୱରେ ଥିବା ବ୍ୟାଙ୍କକୁ ଅଫିସ ଗୃହ ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା, ଯାହା ଫଳରେ ସମ୍ପୃକ୍ତ ପାଇପ ଲାଇନ ସଫା କରାଯାଇଥାନ୍ତା।
ଏହି ବିସ୍ଫୋରଣରେ ନିକଟରେ ଥିବା ଗାଡ଼ିଗୁଡ଼ିକ ନଷ୍ଟ ହୋଇଥିବା ବେଳେ, ଘରର ଝରକା ନଷ୍ଟ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ଏକ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ଏହି ବିସ୍ଫୋରଣ ହୋଇଛି। ତେବେ ଦ୍ଵିତୀୟ ବିସ୍ଫୋରଣରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।



