‘ସମାଜ’ର ଶତବାର୍ଷିକୀ: ଚିତ୍ର ଆଙ୍କିଲେ ୬୦ହଜାର, ପ୍ରବନ୍ଧ ଲେଖିଲେ ୧୫ହଜାର
କଟକ: ଅକ୍ଟୋବର ୪ତାରିଖରେ ହେବାକୁ ଥିବା ‘ସମାଜ’ର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖିନ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବର୍ଗରେ ରାଜ୍ୟର ୩୧୪ଟି ବ୍ଲକ ସମେତ ୧୨ଟି ସହରରେ ଏକ ସଙ୍ଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଭୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଭାଗ ନେବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟର ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଭାଗ ନେବାପାଇଁ ସକାଳୁସକାଳୁ ଅଭିଭାବକମାନେ ନିଜ ପିଲାଙ୍କୁ ଧରି ଧାଡି ଲଗାଇଥିଲେ। ଉଭୟ ପ୍ରତିଯୋଗିତାରେ ୭୫ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଭୟ କନିଷ୍ଠ ଏବଂ ବରିଷ୍ଠ ବିଭାଗ ଚିତ୍ରାଙ୍କନରେ ୬୦ହଜାରରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବାବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ୧୫ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ସକାଳ ୮ଟା ୧୫ମିନିଟରୁ ୯ଟା ୧୫ମିନିଟ୍ ପର୍ଯ୍ୟନ୍ତ କନିଷ୍ଠ ଏବଂ ବରିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହିପରି ସକାଳ ୯ଟା ୧୫ମିନିଟରୁ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ବରିଷ୍ଠ ବିଭାଗରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିକେନ୍ଦ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଚିତ୍ରଗୁଡିକର ମୂଲ୍ୟାୟନ କରାଯାଇ ଉଭୟ ବରିଷ୍ଠ ଏବଂ କନିଷ୍ଠ ବିଭାଗର ୩ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଓ ୭ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।