୮୬ ରାଷ୍ଟ୍ରରେ ୧୦ ହଜାର ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ: ବିଶ୍ବର ୮୬ଟି ରାଷ୍ଟ୍ରର ଜେଲ୍ରେ ୧୦,୧୫୨ ଜଣ ଭାରତୀୟ ବନ୍ଦୀ ରହିଥିବା ଜଣାପଡିଛି। ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ସାଉଦି ଆରବରେ ସଂଖ୍ୟାଧିକ ୨୬୩୩ ଜଣ ଭାରତୀୟ ସେଠାକାର ଜେଲରେ ଥିବାବେଳେ ଏହାପଛକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୨୫୧୮ ଓ ନେପାଳରେ ୧୩୧୭ ଜଣ କଏଦୀ ଜୀବନ ଅତିବାହିତ କରୁଛନ୍ତି। ଏହାବ୍ୟତୀତ କାତାରରେ ୬୧୧, କୁଏତରେ ୩୮୭, ମାଲେସିଆରେ ୩୩୮, ବ୍ରିଟେନରେ ୨୮୮, ପାକିସ୍ତାନରେ ୨୬୬, ଚୀନ୍ରେ ୧୭୩, ଆମେରିକାରେ ୧୬୯, ଇଟାଲୀରେ ୧୬୮ ଏବଂ ଓମାନରେ ୧୪୮ ଭାରତୀୟ ଏହି ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ମଧ୍ୟରେ ୨୬୮୪ ବିଚାରାଧୀନ କଏଦୀ ସାମିଲ ଥିବା କୁହାଯାଇଛି। ଏହାବ୍ୟତୀତ ବିଦେଶୀ ଜେଲ୍ରେ ଥିବା ୫୪ ଭାରତୀୟ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଭଳି ଚରମ ଦଣ୍ଡାଦେଶ ପାଇଥିବା ଭାରତୀୟଙ୍କ ମଧ୍ୟରେ ୟୁଏଇରେ ସର୍ବାଧିକ ୨୯ ଓ ସାଉଦି ଆରବରେ ୧୨ ଜଣ ସାମିଲ ଅଛନ୍ତି। ଏହି ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସର ତଥ୍ୟକୁ ଆଧାର କରି ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଦେଶୀ ଜେଲ୍ରେ ଥିବା ଭାରତୀୟ କଏଦୀଙ୍କୁ ସେଠାକାର ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ଆଇନଗତ ସହାୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ ମୋଟ ୩୦୭ ଭାରତୀୟ ମତ୍ସ୍ୟଜୀବୀ ବର୍ତ୍ତମାନ ବିଦେଶୀ ଜେଲରେ ଅବସ୍ଥାନ କରୁଥିବା ଜଣାପଡିଛି। ପାକିସ୍ତାନରେ ସର୍ବାଧିକ ୨୧୭ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଥିବାବେଳେ ଶ୍ରୀଲଙ୍କାରେ ୫୮, ସାଉଦି ଆରବରେ ୨୮ ଓ ବାହାରିନରେ ୪ ଜଣ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି। ୨୦୨୪ରେ ଶ୍ରୀଲଙ୍କା ପକ୍ଷରୁ ୪୭୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯାଇଥିବାବେଳେ ବାଂଲାଦେଶ ପକ୍ଷରୁ ୯୫, ବାହାରିନ ପକ୍ଷରୁ ୪୭, କାତାର ପକ୍ଷରୁ ୨୯ ଏବଂ ସାଉଦି ଆରବ ପକ୍ଷରୁ ୨୭ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯାଇଥିବା ପ୍ରକାଶ। ବିଦେଶରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ମୁକ୍ତି ଏବଂ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ଭାରତ ସରକାର ସବୁବେଳେ ଗୁରୁତ୍ବ ଦେଇଆସୁଥିବା ମନ୍ତ୍ରୀ କହିଛନ୍ତି।
Comments are closed.