୫ ବର୍ଷରୁ କମ୍‌ ବର୍ଷର ଶିଶୁଙ୍କ ପାଇଁ ନୀଳ ରଙ୍ଗର ଆଧାର

0

ନୂଆଦିଲ୍ଲୀ : ଭାରତୀୟ ସ୍ୱତନ୍ତ୍ର ପରିଚୟ ଅଧିକାରୀ (ୟୁଆଇଡିଏଆଇ)ଙ୍କ ପକ୍ଷରୁ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଏବେ ସ୍ୱତନ୍ତ୍ର ଆଧାର କାର୍ଡ ଜାରି କରାଯାଇଛି। ନୀଳ ରଙ୍ଗର ଏହି ଆଧାର କାର୍ଡକୁ ‘ବାଳ ଆଧାର’ କାର୍ଡ ବୋଲି କୁହାଯାଉଛି। ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ନିମନ୍ତେ ଏହି କାର୍ଡ ପ୍ରାପ୍ତ କରିବା ଲାଗି କୌଣସି ବାୟୋମେଟ୍ରିକ୍‌ ବିବରଣୀ ଦେବାକୁ ପଡିବ ନାହିଁ। କିନ୍ତୁ ୫ ବର୍ଷରେ ପଦାର୍ପଣ କରିବା ପରେ ଏହି ଶିଶୁମାନଙ୍କୁ ଆଧାର କାର୍ଡ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଯାଞ୍ଚ ପ୍ରକ୍ରିୟା ପୂରଣ କରିବାକୁ ହେବ ବୋଲି ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟ୍‌ କରାଯାଇଥିବା ବିବରଣୀରୁ ଜଣାପଡିଛି। ଏଥିରେ କୁହାଯାଇଛି ଯେ, ଏହି ଶିଶୁମାନେ ୧୫ ବର୍ଷ ବୟସରେ ପଦାର୍ପଣ କରିବା ପରେ ପୁନଃ ଏମାନଙ୍କ ବିଷୟରେ ସମସ୍ତ ସଦ୍ୟ ବାୟୋମେଟ୍ରିକ୍‌ ତଥ୍ୟ ପ୍ରଦାନ କରିବାକୁ ହେବ। ସୂଚନା ଅନୁଯାୟୀ, ୧ ବର୍ଷରୁ ଊର୍ଦ୍ଧ୍ବ ବୟସର ଶିଶୁଙ୍କ ନିମନ୍ତେ ଆଧାର କାର୍ଡ ପାଇଁ ଆବେଦନ କରାଯାଇପାରିବ। ୫ ବର୍ଷ ବୟସ ପର୍ଯ୍ୟନ୍ତ ଅଙ୍ଗୁଳି ଛାପରେ ପରିବର୍ତ୍ତନ ହୋଇଥାଏ। ଏଣୁ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ କ୍ଷେତ୍ରରେ ଅଙ୍ଗୁଳି ଛାପ ସମେତ ଅନ୍ୟାନ୍ୟ ବାୟୋମେଟ୍ରିକ୍‌ ତଥ୍ୟ ପଞ୍ଜିକୃତ କରିବା ଜରୁରୀ ନୁହେଁ। ଏହି ବର୍ଗର ଶିଶୁଙ୍କ ଆଧାରକାର୍ଡ ବିବରଣୀ ସହିତ ମାତାପିତା ତଥା ଅଭିଭାବକଙ୍କ ଆଧାର ବିବରଣୀ ସଂଯୋଗ କରିବାକୁ ହେବ ବୋଲି ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟର୍‌ରେ ଉଲ୍ଲେଖ କରାଯାଇଛି।

Leave A Reply