୨୮ ରୁ ରାଜ୍ୟସ୍ତରୀୟ ପ୍ରଥମ ରୋଟାରୀ ଗ୍ରାମୀଣ ମହିଳା ହକି ଚାମ୍ପିୟନସିପ

0

ସମ୍ବଲପୁର : ଡିସେମ୍ବର ୨୮ ତାରିଖରୁ ସମ୍ବଲପୁରରେ ରାଜ୍ୟସ୍ତରୀୟ ପ୍ରଥମ ରୋଟାରୀ ଗ୍ରାମୀଣ ମହିଳା ହକି ଚାମ୍ପିୟନସିପ ଅନୁଷ୍ଠିତ ହେବ। ରୋଟାରୀ ହକି ଏକାଡେମୀ, ରୋଟାରୀ କ୍ଲବ ଓ ଇଣ୍ଡିଆନ ପବ୍ଲିକ ସ୍କୁଲର ମିଳିତ ଆନୁକୁଲ୍ୟରେ ୨୮ ରୁ ୩୦ ତାରିଖ ତିନି ଦିନ ବ୍ୟାପୀ ଏହି ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ହକି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୧୬ ଟି ମହିଳା ହକି ଦଳ ସାମିଲ ହେବେ। ଗୁରୁବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସିଲା ଟାୱାର ଠାରେ ଏହି ଚାମ୍ପିୟନସିପ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମିତିର ସଭାପତି ରାଜେନ୍ଦ୍ର କୁମାର କୁଜୁର, ସମ୍ପାଦକ ଜତିନ୍ଦ୍ର କୁମାର ଶର୍ମା, ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥି, ଆପିଏସ ସ୍କୁଲର ପ୍ରତିଷ୍ଠାତା କେଶବ ଡାଲମିଆ, ପ୍ରିନିସିପାଲ ପୂଜା ସିଂ, ଉପଦେଷ୍ଟା ଲକ୍ଷ୍ମୀଧର ମହାନ୍ତି ଓ ସେଣ୍ଡ ଜନ ସ୍କୁଲର ପ୍ରିନିସିପାଲ ଫାଦର ଅନୀଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁରର ୫ ଟି ଦଳ ଯଥା ରୋଟାରୀ ଦଳ, ଅମଲିଖମନ, ମଝାପଡା, ଯୁଯୁମୁରା ଓ ଅର୍ଡାବାହାଲ ଭାଗ ନେବେ। ଏହା ସହିତ ଢ଼େଙ୍କାନାଳ, ଅନୁଗୁଳ, ବରଗଡ, ଦେଓଗଡ ଓ ବରଗଡର ସମୁଦାୟ ୧୧ ଟି ଦଳ ମଧ୍ୟ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୮ ଜଣ ଖେଳାଳୀ ଙ୍କୁ ଚୟନ କରାଯାଇ ଆଗାମୀ ଛତିଶଗଡର ରାଜନନ୍ଦଗାଓଁ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରର ମହିଳା ହକି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପଠାଯିବ। ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ମହିଳା ଖେଳାଳୀ ମାନଙ୍କୁ ଉତ୍ସାହିତ କରି ପ୍ରତିଭାବାନ ଖେଳାଳୀ ମାନଙ୍କୁ ସର୍ବସମ୍ମୁଖକୁ ଆଣିବା ବୋଲି ଜତିନ୍ଦ୍ର କହିଛନ୍ତି। ସୁଚନାଯୋଗ୍ୟ ଯେ, ଜାମ୍ମୁ ଓ କାଶ୍ମୀର ଦଳ ପକ୍ଷରୁ ଜାତୀୟ ହକି ଖେଳିଥିବା ହକି ଖେଳାଳୀ ଜତିନ୍ଦ୍ର ଶର୍ମା ନିଜସ୍ୱ ଉଦ୍ୟମ ଓ ରୋଟାରୀ କ୍ଲବର ସହାୟତାରେ ସମ୍ବଲପୁର ଜିଲାରେ ଲୁକ୍କାୟିତ ହକି ପ୍ରତିଭା ମାନଙ୍କୁ ସର୍ବ ସମ୍ମୁଖକୁ ଆଣିବା ପାଇଁ ପ୍ରୟାସରତ ଅଛନ୍ତି। ଏଣୁ ଜତିନ୍ଦ୍ରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସାହାର୍ଯ୍ୟ କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳୀ ମାନଙ୍କ ସୁରକ୍ଷାର ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି ବୋଲି ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଭାରତୀୟ ମହିଳା ହକି ଦଳର ତିନି ଜଣ ଉଦୀୟମାନ ଖେଳାଳୀ ଦୀପ ଗ୍ରେସ, ଲିଲିମା ମିଂଜ ଓ ଅନୁପମା ବାର୍ଲା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply