ସିଜେଆଇଙ୍କ ବିରୋଧରେ ମହାଅଭିଯୋଗ; ଉପ-ରାଷ୍ଟ୍ରପତିଙ୍କୁ ଭେଟିଲେ ୭ବିପକ୍ଷ ଦଳ ନେତା
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପାଇଁ ପ୍ରମୁଖ ୭ ବିରୋଧୀ ଦଳ ଏକତ୍ରିତ ହୋଇଛନ୍ତି। ଶୁକ୍ରବାର ବିପକ୍ଷ ଦଳର ନେତାଙ୍କ ବୈଠକ ଗୁଲାମନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ଆଜାଦଙ୍କ ନେତୃତ୍ୱରେ ଆଜି ଉପ ରାଷ୍ଟ୍ରପତିଙ୍କୁ ଭେଟିବାର ସିଦ୍ଧାନ୍ତ ନିଆଯାଇ ଥିଲା। ଏହି ନେତାଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ୍, କେଟିଏସ ତୁଲସି, ଅଭିଷେକ ମନୁ ସିଙ୍ଗଭୀ, କପିଲ ସିବଲ, ଏନସିପିର ବନ୍ଦନା ଚୌହାନ ଓ ସିପିଆଇର ଡି ରାଜା ସାମିଲ ଥିଲେ। ଶ୍ରୀ ଆଜାଦ୍ ଉପରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ଗଣମାଧ୍ୟମରେ ଦେଇଥିବା ସୂଚନା ଅନୁଯାୟୀ ତାଙ୍କୁ ସିପିଆଇ, ସିପିଏମ, କଂଗ୍ରେସ, ଏନସିପି, ବିଏସପି, ସମାଜବାଦୀ ପାର୍ଟି ଓ ମୁସଲିମ ଲିଗ ପ୍ରମୁଖ ରାଜନୈତିକ ଦଳର ସମର୍ଥନ ମିଳିଛି। ସୂଚନା ଅନୁଯାୟୀ ୫୦ରୁ ଊର୍ଦ୍ଧ୍ବ ସାଂସଦଙ୍କ ସ୍ୱାକ୍ଷର ସମ୍ବଳିତ ମହାଅଭିଯୋଗ ପତ୍ର ପ୍ରସ୍ତୁତ କରାଯାଇଛି।
ଅବଶ୍ୟ ସିଏଜଏମଙ୍କ ବିରୋଧରେ ମହାଅଭିଯୋଗ ଆଣିବା ପୂର୍ବରୁ ଅନ୍ତତଃ ପକ୍ଷେ ଲୋକସଭାର ୧୦୦ସାଂସଦ ଓ ରାଜ୍ୟସଭାର ୬୦ ସାଂସଦଙ୍କ ଦସ୍ତଖତର ଆବଶ୍ୟକତା ରହିଛି। ଏହି ଦସ୍ତଖତ ମିଳିବା ପରେ ଏହା ସଂସଦରେ ଆଲୋଚନା ପାଇଁ ଆସିଥାଏ। ଏହି ମହାଅଭିଯୋଗ ପତ୍ର ଲୋକସଭା ବାଚସ୍ପତି କିମ୍ବା ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇ ପାରେ। ଯଦି ଲୋକସଭା ବାଚସ୍ପତି କିମ୍ବା ରାଜ୍ୟସଭା ଅଧ୍ୟକ୍ଷ ଏହି ମହାଅଭିଯୋଗକୁ ଗ୍ରହଣ କରନ୍ତି, ତେବେ ପରବର୍ତ୍ତୀ ସମୟରେ ୩ଜଣିଆ ସଂସଦୀୟ କମିଟି ଗଠନ କରାଯାଇ ଏହି ମହାଅଭିଯୋଗର ତଦନ୍ତ କରାଯାଇ ଥାଏ। ଏହି କମିଟିରେ ସୁପ୍ରିମ କୋର୍ଟର ଜଣେ ବିଚାରପତି, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଜଣେ ଆଇନ ବିଶାରଦଙ୍କୁ ସ୍ଥାନିତ କରାଯାଇ ଥାଏ। ଏହି କମିଟିର ସବୁଜ ସଙ୍କେତ ମିଳିବା ପରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ସମର୍ଥନ ପାଇଁ ଏହି ରିପୋର୍ଟକୁ ଅଣାଯାଏ। ଉଭୟ ରାଜ୍ୟସଭା ଓ ଲୋକସଭାର ଅନୁମୋଦନ ମିଳିବା ପରେ ଶେଷରେ ରାଷ୍ଟ୍ରପତିଙ୍କୁ ପାଖକୁ ଏହି ମହାଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇ ଥାଏ। ରାଷ୍ଟ୍ରପତି ତାଙ୍କ ବିଶେଷ ଅଧିକାର ବଳରେ ଦେଶର ପ୍ରଧାନ ବିଚାରପତିଙ୍କୁ ବଦଳାଇବା ପାଇଁ ନିର୍ଦେଶ ଜାରି କରିଥାନ୍ତି।
ଏସବୁ ତଥ୍ୟକୁ ତର୍ଜମା କଲେ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳ ମହା ଅଭିଯୋଗ ପତ୍ରରେ କୌଣସି ଉପାୟରେ ଦସ୍ତଖତ ସଂଗ୍ରହ କରିବାକୁ ସଫଳ ହୋଇଗଲେ ମଧ୍ୟ ଏହାକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବହୁମତ ହାସଲ କରିବା କାଠିକର ପ୍ରମାଣିତ ହେବ। ତେବେ ଜଷ୍ଟିସ ଲୋହିଆ ମାମଲାରେ କଂଗ୍ରେସ ନିଜ ଯୁକ୍ତିରେ ପରାଜିତ ହେବା ପରେ ଏବେ ଏଭଳି ପଦକ୍ଷେପ ଦ୍ୱାରା ନିଜ ସ୍ଥିତିକୁ ଦେଶବାସୀଙ୍କ ସମ୍ମୁଖରେ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି ବୋଲି ଆଲୋଚନା ହେଉଛି। ଏଭଳି କ୍ଷେତ୍ରରେ କଂଗ୍ରେସ ପକ୍ଷରୁ ଦିଆଯାଇ ଥିବା ଦସ୍ତଖତରେ ୭୧ଜଣ ସାଂସଦଙ୍କ ସ୍ୱାକ୍ଷର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏଭଳି କ୍ଷେତ୍ରରେ ଏହି ଅଭିଯୋଗ ପତ୍ରକୁ ଉପରାଷ୍ଟ୍ରପତି କେତେଦୂର ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।