କଲମପୁର: ଲଗାଣ ବର୍ଷା ପ୍ରଭାବରେ ଜଣେ ମହିଳାଙ୍କ ମାଟି ଘର କାନ୍ଥ ବିଳମ୍ବିତ ରାତିରେ ଭୁଷୁଡି ପଡିଛି। ସୌଭାଗ୍ୟ ବସତଃ ପରିବାରର ତିନି ପ୍ରାଣୀ ବଂଚିଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଲାଗି ରହିଥିଲା ବର୍ଷା। ଏହି ଲଗାଣ ବର୍ଷାର ପ୍ରଭାବରେ ପଣ୍ଡିଗାଁ ଖଲିଆବନ୍ଧପଡାର ପଦ୍ମିନୀ ବାରିକଙ୍କ ମାଟି ଘର କାନ୍ଥ ଭୁଷୁଡି ପଡିଛି। ଏହି ଘର କାନ୍ଥ ଭୁଷୁଡିବା ବେଳେ ପଦ୍ମିନୀ ନିଜ ଦୁଇ ନାବଳକ ଛୁଆଙ୍କୁ ନେଇ ଘର ଭିତରେ ଶୋଇଥିଲେ। ସୌଭାଗ୍ୟ ବସତଃ ଏମାନଙ୍କ କୌଣସି କ୍ଷତି ହୋଇ ନାହିଁ। ବର୍ଷା ରାତିରେ ଘରର ଅଧିକ କ୍ଷତି ହେବା ଆଶଙ୍କା କରି ନିକଟରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ମହିଳା ଜଣକ ପର ଘରେ ମୂଲ ଲାଗି ନିଜର ଦୁଇ ନାବାଳକ ସନ୍ତାନଙ୍କୁ ପ୍ରତିପୋଷଣ କରୁଥିବା ବେଳେ ଘର ଡିହ ଖଣ୍ଡକ ବ୍ୟତୀତ ଅନ୍ୟ କୌଣସି ସମ୍ପତି ନଥିବାରୁ ଅସହାୟ ହୋଇ ପଡିଛନ୍ତି। ବର୍ଷା ଦିନେ କେଉଁଠି ମୁଣ୍ଡ ଗୁଞ୍ଜିବ ସେନେଇ ଚିନ୍ତାରେ। ଅନ୍ୟପଟେ ତୁରନ୍ତ ସରକାର ଏଭଳି ଜଣେ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସାଧାରମରେ ଦାବି ହେଉଛି।
Popular Categories



