www.samajalive.in
Saturday, December 6, 2025
16.1 C
Bhubaneswar

ରୋଗୀର ଅଧିକାର

କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଘରୋଇ ଡାକ୍ତରଖାନାଗୁଡ଼ିକ ଅର୍ଥ ଦାବି କରି ମୃତ ଦେହକୁ ଅଟକାଇ ରଖିବା ଭଳି ଅମାନବୀୟ ଘଟନା ଦେଖାଯାଏ। ଚିକିତ୍ସାରେ ସର୍ବସ୍ବାନ୍ତ ହୋଇଥିବା ମୃତକଙ୍କ ପରିବାରର ସମସ୍ତ କାକୁତିମିନତି ସେତେବେଳେ ହାର୍‌ ମାନେ। ଅନେକ ସମୟରେ ଅଳ୍ପ କିଛି ଅର୍ଥ ପାଇଁ ମଧ୍ୟ ଶବଟିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଏ ନାହିଁ। ଏଥିପାଇଁ ଏଯାଏଁ କୌଣସି ଆଇନକାନୁନ ନଥିବାରୁ ଘରୋଇ ଡାକ୍ତରଖାନା ବା ଡାକ୍ତର ଏଭଳି ଅମାନବୀୟ କାର୍ଯ୍ୟରୁ ନିବୃତ୍ତ ହେଉନାହାନ୍ତି। ଏବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ଚିନ୍ତା କରିବା ଆଶ୍ବସ୍ତିର ବିଷୟ। ମନ୍ତ୍ରଣାଳୟ ରୋଗୀର ଅଧିକାର ଉପରେ ଏକ ନିୟମାବଳୀର ରୂପରେଖ ପ୍ରସ୍ତୁତ କରିଛି, ଯାହା ଆଇନାନୁମୋଦିତ ହେଲେ ଲୋକଙ୍କୁ ଏଭଳି ସଙ୍କଟରୁ ତ୍ରାହି ମିଳିପାରିବ। ଯଦି ରୋଗୀ ଚିକିତ୍ସାରେ ଖର୍ଚକୁ ନେଇ କୌଣସି ବିବାଦ ହୁଏ, ତା’ହେଲେ ବିଲ୍‌ ପଇଠ ନକରି ରୋଗୀଙ୍କୁ ସେଠାରୁ ଛୁଟି ଦେବାକୁ କୌଣସି ଡାକ୍ତରଖାନା ମନା କରିପାରିବ ନାହିଁ। ଏହାବ୍ୟତୀତ, ଯଦି କୌଣସି ପରିସ୍ଥିତିରେ ରୋଗୀର ମୃତ୍ୟୁ ଘଟେ ଓ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବାକୁ ଡାକ୍ତରଖାନା ମନା କରେ, ତେବେ ତାକୁ ଅପରାଧ ବୋଲି ଧରାଯିବ। ଏହା ନିଶ୍ଚିତଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ବାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ର ଯେତିକି ଘରୋଇ ସଂସ୍ଥା ହାତକୁ ଚାଲିଯାଉଛି, ସାଧାରଣ ଲୋକଙ୍କ ସମସ୍ୟା ସେତିକି ବଢ଼ିବାରେ ଲାଗିଛି। ସାଧାରଣ ରୋଗ ପାଇଁ ମଧ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକ ଯେତିକି ଅର୍ଥ ଦାବି କରୁଛନ୍ତି, ତାକୁ ଦେବାପାଇଁ ବହୁ ଲୋକ ସକ୍ଷମ ନୁହନ୍ତି। ତେଣୁ ଅନ୍ୟାୟ ଉପାୟରେ ଲୋକଙ୍କଠାରୁ ଅର୍ଥ ଦାବି କରୁଥିବା ଡାକ୍ତରଖାନା ପାଇଁ ଆଇନକାନୁନକୁ କଡ଼ାକଡ଼ି କରାଯିବା ନିହାତି ଆବଶ୍ୟକ। ରୋଗୀର ମଧ୍ୟ କିଛିଟା ଅଧିକାର ରହିଛି, ତାହା ସେମାନେ ଭୁଲି ନଯାଆନ୍ତି ଯେମିତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories