ରାଜ୍ୟପାଳଙ୍କ ବିରୋଧରେ ଯୌନ ଅସଦାଚରଣ ଅଭିଯୋଗ

0

ନୂଆଦିଲ୍ଲୀ : ଦକ୍ଷିଣାଞ୍ଚଳ ରାଜ୍ୟର ଜନୈକ ରାଜ୍ୟପାଳଙ୍କ ବିରୋଧରେ ଯୌନ ଅସଦାଚରଣ ଅଭିଯୋଗ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ରାଜ୍ୟପାଳ ରାଜଭବନରେ ଜଣେ ମହିଳା କର୍ମଚାରୀଙ୍କୁ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ନିବେଦନ କରିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟପାଳଙ୍କ ନାମ ପ୍ରକାଶ କରାଯାଇ ନାହିଁ। କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଗୁରୁତ୍ୱର ସହିତ ଗ୍ରହଣ କରି ଏହାର ସତ୍ୟାସତ୍ୟ ବାହାର କରିବା ଲାଗି ତଦନ୍ତକାରୀ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ନିର୍ଦେଶ ଦିଆଯିବ। ତେବେ ପଚରାଉଚୁରା ନିମନ୍ତେ ଅଭିଯୁକ୍ତ ରାଜ୍ୟପାଳଙ୍କୁ ଏଯାବତ୍‌ ସମନ ଜାରି କରାଯାଇ ନ ଥିବା ଜଣାପଡିଛି। ୨୦୧୭ ଜାନୁଆରୀରେ ମେଘାଳୟର ପୂର୍ବତନ ରାଜ୍ୟପାଳ ଭି. ଶାନଙ୍ଗନାଥନ୍‌ଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆସିବା ପରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହି ମାମଲାରେ ରାଜଭବନର ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିକଟରେ ଶାନଙ୍ଗନାଥନ୍‌ଙ୍କ ଇସ୍ତଫା ଦାବି କରିଥିଲେ।

Leave A Reply