BJD Bijuli 480×75 Mob

ଯନ୍ତ୍ରଣାର କାନ୍ଦ ଗଁଗଁ ଶୁଭେ

BJD Bijuli 480×75 Mob
0

କଟକ: ପିଲାଟି ପେଟରେ ଥାଇ ଗୋଇଠା ମାରିଲେ ମାଆ ମନ ପୂରିଉଠେ। ସେଇ ପିଲା ବଡ଼ ହୋଇ ଯେବେ ମାଆକୁ ଗୋଇଠା ମାରେ, ପାଦର ଚପଲ ରଖୁଥିବା ବାରଣ୍ଡାରେ ତାକୁ ଦିନରାତି ପକାଇ ରଖେ; ସେଠି ମାତୃତ୍ୱର ସବୁ ସାଧନା ମିଛ ହୋଇଯାଏ। ମାଆଟି ବିଚରା ଧକେଇଧକେଇ ଶେଷରେ ଜନ୍ତୁଟିଏ ପାଲଟି ମାଟିରେ ଲୋଟିଯାଏ..ମୁହଁରୁ ଆଉ ଭାଷା ବାହାରେ ନାହିଁ, ଖାଲି ଗଁଗଁ ହୁଏ। …ଏଇମିତି କିଛି ଘଟିଛି ବୋଲି ଚାଉଳିଆଗଞ୍ଜ ତଳଘର ସାହିରେ ଆଲୋଚନା ହେଉଛି ଓ ନିର୍ଦିଷ୍ଟ ଏକ ଘର ଭିତରୁ ସେ ବୁଢୀର ଯନ୍ତ୍ରଣାସିକ୍ତ ବୋବାଳି ପଦାକୁ ଶୁଭିଲେ ଲୋକେ ପରସ୍ପର ଅନାଅନି ହୋଇ ଫୁସୁରୁଫାସର ହେଉଛନ୍ତି। ଏହାଠାରୁ ଅଧିକ କିଛି ହୋଇ ପାରିନାହିଁ।
ବର୍ଷବର୍ଷ ଧରି ଯେଉଁ ମହିଳାଟି ଘରକୁ ଘର ବୁଲି ଦୁଃଖ ଦୁର୍ଦଶାରେ ପଡିଥିବା ଲୋକଙ୍କୁ ଆଉଁଶି ଦେଇ ଆସୁଥିଲା, ଆଜି ତା’ପାଇଁ କିନ୍ତୁ କାହାର ହାତ ବଢୁନାହିଁ। ସେ ସାହିର ସିଏ ପୁରୁଣା ଦିନର ବୋହୂଟିଏ, ସେଇଠି ମାଆ ପାଲଟି ନାତି/ନାତୁଣୀ ଦେଖି ସାରିଲାଣି। ଅଞ୍ଚଳ ଗୋଟାକରେ ସଭିଏଁ ତାକୁ ଭଲ ପାଆନ୍ତି, ସିଏ ବି ସଭିଙ୍କୁ ଭଲ ପାଏ। ବିଶେଷକରି କାହା ଘରେ କିଏ ମାରା ପଡ଼ିଲେ, ବୁଢୀ ଯାଇ ହାଜର ହୁଏ; ଆତ୍ମୀୟକୁ ହରାଇ କାନ୍ଦୁଥିବା ମଣିଷଙ୍କ ସହ ମିଶି ବାହୁନେ, ସେମାନଙ୍କ ଲୁହ ପୋଛି ପିଠିରେ ହାତ ଥାପେ। ଖାଣ୍ଟି କଟକୀ ବୁଢୀ, ପୂରା ପାନୁଆ। ଏଇ ୧୫ ଦିନ ତଳେ ସାହି ଲୋକଙ୍କୁ ପାନ କି ଗୁଆଗୁଣ୍ଡି ସେ ମାଗି କି ଖାଇଛି; ଲୋକେ ବି ଶ୍ରଦ୍ଧାରେ ତାକୁ ଦେଇଛନ୍ତି। ବାସ୍‍! ଏମିତିରେ ଅନ୍ୟମାନଙ୍କ ଶ୍ରଦ୍ଧା ସୁଖ ବାଣ୍ଟି ନିଜର ସବୁ ଦୁଃଖକୁ ଅନ୍ତରରେ ଚାପି ବିଚାରୀ ବୁଢୀଟି ଦିନ କଟାଇ ଦେଉଥିଲା। କାହାଠୁଁ ସେ କିଭଳି ଯନ୍ତ୍ରଣା ପାଉଛି, କିଏ ତାକୁ କେମିତି ନିର୍ୟାତନା ଦେଉଛି..ସେ ପ୍ରସଙ୍ଗ କେବେ ବି ବଖାଣୁ ନ ଥିଲା।
କିଛିଦିନ ତଳେ ନିଜ ଘରର ବାଟମୁହଁରେ ସିଏ ଧକ୍କାଟିଏ ଖାଇ କଚାଡି ପଡିଲା। ଧକ୍‍କା ମାରିଥିବା ହାତକୁ ସେ ଖୁବ୍‍ ଭଲରେ ଚିହ୍ନିଛି ବୋଧେ, ଯେଉଁଥିପାଇଁ ତାହାର କୌଣସି ଅଭିଯୋଗ ନ ଥିଲା। ବୁଢୀ ଭାବିଥିଲା ହାତଟିଏ କାହାର ବଢି ଆସିବ ନିଶ୍ଚୟ ତାକୁ ଉଠାଇବା ପାଇଁ, ତାହାର ସେ ଆଶା ବି ମିଛ ହୋଇଗଲା; ବରଂ ଗୋଡ଼ରେ ତାକୁ ଆଡେଇ ଦିଆଗଲା। ଅଣ୍ଟାଜଖମ ସାଙ୍ଗକୁ ଛୋଟିଆ ଘାଆ ଏବେ ବଢିବଢି ପଚିବାରେ ଲାଗିଛି। ଏ ପ୍ରସଙ୍ଗକୁ ନେଇ ଆଖପାଖ ସାହିପଡ଼ିଶାରେ ଗୁଞ୍ଜରଣ ସୃଷ୍ଟି ହେଲାଣି। ବୁଢୀ କିନ୍ତୁ ସେମିତି ଯନ୍ତ୍ରଣାରେ ବୋବାଳି ଛାଡି ଚାଲିଛି; ଯାହାକୁ ଶୁଣି ଲୋକେ ଥମ୍‍ହୋଇ ରହିଯାଉଛନ୍ତି। ..୧୦ ଦିନ ହୋଇଗଲାଣି; ବୁଢୀଟି ଏତେ ବଳ ପାଉଛି କେଉଁଠୁ? ଭଗବାନ ନିଶ୍ଚୟ ତାକୁ ବଞ୍ଚାଇ ରଖିଛନ୍ତି ‘କେହିଜଣେ’ ଆଗେଇ ଆସିବା ପର୍ୟ୍ୟନ୍ତ…।

Leave A Reply