ମୃତ୍ୟୁ ଭୟ: ହେତୁ ଓ ତହିଁରୁ ଉତ୍ତରଣ

0

ପ୍ରଶ୍ନ: ମୃତ୍ୟୁଭୟ ଉପରେ ବିଜୟ ସମ୍ଭବପର କି? ସମ୍ଭବ ହୋଇଥିଲେ ମାର୍ଗ କ’ଣ? ମୁଁ ବଡ଼ ବିବ୍ରତ। ମୋ ନାମ ଦେବେନାହିଁ। ବନ୍ଧୁମାନେ ମୋତେ ଭୀରୁ କହିବେ। କ୍ଷମା କରିବେ, ଆପଣଙ୍କ ମୃତ୍ୟୁଭୟ ଅଛି କି? – ଜିଜ୍ଞାସୁ
ଉତ୍ତର: ଆପଣଙ୍କ ବନ୍ଧୁମାନେ ତେବେ ମୃତ୍ୟୁ ଭୟରୁ ମୁକ୍ତ। ଭାଗ୍ୟବାନ ସେମାନେ। ସାଧାରଣ ଭାବରେ ଜୀବନ-ସଚେତନ ସମସ୍ତ ବ୍ୟକ୍ତିଙ୍କ ଭିତରେ ଊଣା ଅଧିକ ମୃତ୍ୟୁ ଭୟ ଥାଏ। ନ ଥାଏ ଦୁଇ ଶ୍ରେଣୀର ଲୋକଙ୍କର: ପ୍ରଥମଶ୍ରେଣୀର ଅନ୍ତର୍ଭୁକ୍ତ ମଣିଷମାନେ ଏକାନ୍ତ ଅଚେତନ; ସେମାନେ ଧରି ନିଅନ୍ତି ଯେ ଭୋଗତୃଷ୍ଣା, ଆଶା ହତାଶା, ପ୍ରତିଯୋଗିତା ସମ୍ବଳିତ ସେମାନଙ୍କ ଗତାନୁଗତିକ ଜୀବନପ୍ରବାହ ସକାଶେ ଅନିର୍ଦିଷ୍ଟକାଳ ଧରି ‘ଆଗାମୀକାଲି’ଟିଏ ସମ୍ଭବ ହୋଇଚାଲିଥିବ। ଦ୍ବିତୀୟ ଶ୍ରେଣୀର ଲୋକେ ସେମାନଙ୍କ ତପସ୍ୟା ବଳରେ ହେଉ ବା ପ୍ରାରବ୍ଧ ଯୋଗୁଁ ହେଉ ଉପଲବ୍ଧି କରିଥାନ୍ତି ଆପଣାର ଆତ୍ମା; ମୃତ୍ୟୁ ଭୟ ସେମାନଙ୍କୁ ସ୍ପର୍ଶ କରିପାରେନା ଯେହେତୁ ଆମର ପ୍ରକୃତ ସତ୍ତା ଆତ୍ମା ମୃତ୍ୟୁହୀନ। ତୃତୀୟ ଶ୍ରେଣୀଭୁକ୍ତ ହେଉଛୁଁ ଆପଣ ଏବଂ ମୋ ଭଳି ଜିଜ୍ଞାସୁବର୍ଗ ଯେଉଁମାନେ ସାଧାରଣଜ୍ଞାନ ସମେତ ଚେତନାରେ କିଞ୍ଚିତ ଅଧିକ ଜ୍ଞାନର ବିକାଶ ପୂର୍ବକ ମୃତ୍ୟୁଭୟରୁ ନିଶ୍ଚିତ ଭାବେ ମୁକ୍ତ ହୋଇପାରୁଁ।
ଏହି ତୃତୀୟ ଶ୍ରେଣୀ ହିଁ ଆମ ପାଇଁ ପ୍ରାସଙ୍ଗିକ। ଆମର ଏହି ଭୟ-ମୁକ୍ତି ପ୍ରଚେଷ୍ଟାର ପ୍ରଥମ ପାଠ ହେଲା ଭୟର କାରଣ ନିର୍ଣ୍ଣୟ। ପ୍ରଥମେ ବ୍ୟାବହାରିକ କାରଣ: ମୃତ୍ୟୁଭୟ ମାଧ୍ୟମରେ ପ୍ରକୃତି ଆମକୁ ଅନେକ ଅନ୍ୟାୟ କର୍ମରୁ ବିରତ ରଖିପାରେ। ଦ୍ବିତୀୟ କାରଣ ମୃତ୍ୟୁସହ ଯନ୍ତ୍ରଣାକୁ ଆମେ ଏକାକାର କରି ଦେଖୁଁ। ଯନ୍ତ୍ରଣା ଓ ମୃତ୍ୟୁର ଯୋଗାଯୋଗ ଘଟିପାରେ; କିନ୍ତୁ ମୃତ୍ୟୁ ଏକ ଯନ୍ତ୍ରଣା-ନିରପେକ୍ଷ ମୁହୂର୍ତ୍ତ। କହିବା ବାହୁଲ୍ୟ, ବିନା ଯନ୍ତ୍ରଣାରେ ମୃତ୍ୟୁର ଅଜସ୍ର ଦୃଷ୍ଟାନ୍ତ ରହିଛି। ତୃତୀୟ କାରଣ ଅଜଣା ପ୍ରତି ସନ୍ଦେହ ଏବଂ ମୃତ୍ୟୁ ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ଆମ ଜ୍ଞାନର ଅଭାବ। ପ୍ରେତାତ୍ମା ଓ ପ୍ରେତପୁରୀ ଭଳି ଛାୟାମୟ ଧାରଣାମାନ ଆମ ଅବଚେତନକୁ ବ୍ୟାପିଯାଇ ପରଲୋକ ପାଇଁ ଭୟର ଭିତ୍ତି ସ୍ଥାପନ କରିଥାନ୍ତି। ଏହା ଛଡ଼ା ରହିଛି ସଂସାର, ପରିବାର, ସମ୍ପଦ ଇତ୍ୟାଦି ପ୍ରତି ଆସକ୍ତି ଭଳି ଗୌଣ କାରଣ ଏବଂ ଏପରିକି ତୁଟିନଥିବା ମାଲିମକଦ୍ଦମା, ତୃପ୍ତ ହୋଇନଥିବା ପ୍ରତିଶୋଧ ଭଳି ଆବେଗପ୍ରଧାନ ଉତ୍କଣ୍ଠା ଇତ୍ୟାଦି।
ବର୍ତ୍ତମାନ ଆସିବା ମୃତ୍ୟୁ ଭୟର ସୂକ୍ଷ୍ମ କାରଣକୁ। ତତ୍ତ୍ବଟି ଉପରେ ପାଠକମାନଙ୍କୁ ଟିକିଏ ଏକାଗ୍ର ହେବାକୁ ପଡ଼ିବ; ଏହା ଆଧ୍ୟାତ୍ମିକ ମନସ୍ତତ୍ତ୍ବ। ଆମର ସମସ୍ତ ଦୁର୍ବଳତା ଓ ଦୁର୍ଗୁଣ ଏକଏକ ଦିବ୍ୟ ଗୁଣର ବିକୃତି। ଧରନ୍ତୁ ଅହଂର ଉତ୍ସ କଥା। ଭଗବାନ ଏକ ଏବଂ ଅନନ୍ୟ। ଆମେ ଯେହେତୁ ପ୍ରଗାଢ଼ ଅଜ୍ଞାନ ଅନ୍ଧକାରରେ ନିମଜ୍ଜିତ ସେହି ମୌଳିକ ଦିବ୍ୟଶକ୍ତିର ହିଁ ଉପାଦାନ, ସେହି ମୌଳିକ ଅନନ୍ୟତାବୋଧ ବିକୃତ ହୋଇ ଅହଂରୂପେ ପ୍ରକଟିତ ହୁଏ।
‘ମୁଁ’ର ବିଭୀଷିକା ବ୍ୟାପ୍ତ ହୁଏ। ସେହିପରି ଆମ ଅନ୍ତରାତ୍ମା ଜାଣେ ଯେ ଆମର ପ୍ରକୃତ ସତ୍ତାର ମୃତ୍ୟୁ ନାହିଁ। ଆମେ ଯେହେତୁ ନିଜ ନିଜକୁ ମୁଖ୍ୟତଃ ଦେହଟିମାନ ସହିତ ଏକାକାର କରି ଦେହର ବିନାଶ ଅନିବାର୍ଯ୍ୟ ବୋଲି ଦେଖୁଁ, ସେତେବେ​‌େ​‌ଳ ଆମ ଚେତନା ବିଦ୍ରୋହ କରେ, ମୃତ୍ୟୁକୁ ଅସ୍ବୀକାର କରିବାକୁ ଚାହେଁ, କିନ୍ତୁ କରିପାରେନା। ସେହି ଅସହାୟବୋଧ ମୃତ୍ୟୁ ପ୍ରତି ଭୟ ଭାବରେ ପ୍ରକଟିତ ହୁଏ।
ଆତ୍ମା ଉପଲବ୍ଧି କରିଥିବା ମହାପୁରୁଷଙ୍କୁ ସିନା ମୃତ୍ୟୁଭୟ ଦହଗଞ୍ଜ କରେନାହିଁ, ଆମେ କେଉଁ ଶକ୍ତି ଦ୍ବାରା ତାକୁ ଦୂରେଇ ଦେଇପାରିବା? ପ୍ରଥମ ଶକ୍ତି ଆମ ସାଧାରଣଜ୍ଞାନ। ମୃତ୍ୟୁ ମୋତେ କାହିଁକି ଭୀତ କରେ? ଯେହେତୁ ମୁଁ ଏ ଜୀବନ ପ୍ରତି ଆସକ୍ତ। ଆମେ ଭୁଲିଯାଉଁ ଯେ ଏହି ଯେଉଁ ଜୀବନଟି ପ୍ରତି ଆମେ ଆସକ୍ତ, ଏହା ଏକ ମୃତ୍ୟୁର ହିଁ ଅବଦାନ। ଆମ ପୂର୍ବ ଜନ୍ମ ଅନ୍ତ କରିଥିଲା ଏକ ମୃତ୍ୟୁ। ଫଳରେ ଆମେ ଯାପନ କରୁଛୁଁ ଚଳିତ ଜୀବନ। ଅତଏବ ମୃତ୍ୟୁ ଗୋଟାଏ ପରିସ୍ଥିତିରୁ ଅନ୍ୟ ଏକ ପରିସ୍ଥିତିକୁ ନେଇଯାଉଥିବା ଦିଗ୍‌ଦର୍ଶକ, ତାହା ଭୟପ୍ରଦ ହେବାର କାରଣ ନାହିଁ।
ସାଧାରଣଜ୍ଞାନ ଏହା ମଧ୍ୟ କହୁଛି ଯେ ଆମ ବ୍ୟକ୍ତିତ୍ବ ମୁଖ୍ୟତଃ ଜଡ଼ ଓ ଚେତନା- ଏହି ଦୁଇ ବିଭବର ସମାବେଶ। ମୃତ୍ୟୁ ଏ ଦୁଇକୁ ଅଲଗା କରିଦିଏ। ଯାହା ବିନଷ୍ଟ ହୁଏ, ତାହା ଜଡ଼ କଳେବର ଏବଂ ସେହି ବିନଷ୍ଟିକୁ ଆମର ଭୟ। କିନ୍ତୁ, ଏ ଜଡ଼ କଳେବର ଯେଉଁ ପଞ୍ଚ ଉପାଦାନର ସମଷ୍ଟି, ସେଗୁଡ଼ିକ ପ୍ରତି ମୃତ୍ୟୁ ପ୍ରଯୁଜ୍ୟକି ? ମାଟି, ପାଣି, ପବନ, ତେଜ, ବ୍ୟୋମ ଇତ୍ୟାଦି ମରନ୍ତି କି? ଅର୍ଥାତ୍‌ ମୃତ୍ୟୁ ସେସବୁ ଉପାଦାନର ଏକ ନର୍ଦିଷ୍ଟ ବିନ୍ୟାସର ସମାପ୍ତି।
ସାଧାରଣ ଜ୍ଞାନ ଆମକୁ ଆହୁରି ମଧ୍ୟ ସଚେତ କରିଦେବା ଉଚିତ ଯେଉଁ ମୃତ୍ୟୁକୁ ଆମର ଆରାଧ୍ୟ ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରମୁଖଙ୍କଠାରୁ ଆରମ୍ଭ କରି ମହାନ୍‌ ଯୋଗୀଋଷି କେହି ଏଡ଼ାଇ ଯାଇନାହାନ୍ତି, ଯାହାର ଆଶ୍ଳେଷରୁ ଭୂପୃଷ୍ଠରେ କେହି ଏଯାବତ୍‌ ବାଦ ଯାଇନାହାନ୍ତି, ଯାହା ସାର୍ବଜନୀନ, ତାହାକୁ ଭୟ କରିବା ଅଜ୍ଞାନତା ବ୍ୟତୀତ ଆଉ କ’ଣ? କିଞ୍ଚିତ୍‌ ଇଚ୍ଛାଶକ୍ତି ପ୍ରୟୋଗ କରି ଆମେ ସେ ଅଜ୍ଞାନତାରୁ ବହୁ ମାତ୍ରାରେ ଉତ୍ତୀର୍ଣ୍ଣ ହୋଇପାରିବା।
‘ବହୁ ମାତ୍ରାରେ’ କହିବାର କାରଣ, ସାଧାରଣ ଜ୍ଞାନ ବା ବୁଦ୍ଧିଚାଳିତ ଏ ସମସ୍ତ ଯୁକ୍ତି ମୃତ୍ୟୁଭୟ ଦୂର କରିବା ଦିଗରେ ଆମକୁ ଆଗେଇନେବେ ସତ; କିନ୍ତୁ ଲକ୍ଷ୍ୟରେ ପହଞ୍ଚାଇ ଦେଇପାରିବେ ନାହିଁ। ସେପାଇଁ ଲୋଡ଼ା ନିଶ୍ଚଳତା ଓ ଏକାଗ୍ରତା (ଧ୍ୟାନ କହିପାରନ୍ତି) ସହକାରେ ନିଜ ଅାନ୍ତର ଜୀବନସହ ସମ୍ପର୍କ ପ୍ରତିଷ୍ଠାର ପ୍ରୟାସ। କ୍ରମେ ଆମେ ଅନୁଭବ କରିବା ସେ ଆନ୍ତର ଜୀବନ ପରାକାଷ୍ଠା। ଶତଦଳ ପୁଷ୍ପଟିଏ ପ୍ରସ୍ଫୁଟିତ ହେବା ଭଳି ସେହି ଅନୁଭବ ଆମ ଭିତରେ ଆଣିଦେବ ଆମ ଚେତନାର ସ୍ଥାୟିତ୍ବ ସମ୍ପର୍କରେ ବିଶ୍ବାସ: ଜୀବନର ଏକ ଚୂଡ଼ାନ୍ତ ଲକ୍ଷ୍ୟ ଥିବା ସମ୍ପର୍କରେ ପ୍ରତ୍ୟୟ, ଜନ୍ମ ପରେ ଜନ୍ମ ଆମେ ଆମର ସଞ୍ଚିତ ଅଭିଜ୍ଞତାକୁ ଭିତ୍ତି କରି ଦିନେ ଶେଷ ଲକ୍ଷ୍ୟରେ ଉପନୀତ ହେବାର ନିଶ୍ଚୟତା।
ଆହୁରି ଆଗକୁ ବଢ଼ିଲେ ଆମେ ଏହା ମଧ୍ୟ ହୃଦୟଙ୍ଗମ କରିବା ଯେ ଆମ ଚେତନା ଯଦି ଦିନେ ପ୍ରକୃତ ଜ୍ଞାନୋଦ୍ଭାସିତ ହୁଏ, ତେବେ ତା ପ୍ରଭାବରେ ସ୍ଥୂଳ କଳେବରର ମଧ୍ୟ ଗୁଣଗତ ପରିବର୍ତ୍ତନ ହୋଇପାରେ ଏବଂ ମୃତ୍ୟୁର ଆକସ୍ମିକତା, ତା’ର ​‌େ​‌ସ୍ବୖରାଚାର ଭଳି ଆଚରଣ ମଧ୍ୟ ବଦଳିଯାଇପାରେ। ତେବେ ତାହା ଭିନ୍ନ ପ୍ରସଙ୍ଗ।
ଆପଣଙ୍କ ଦ୍ବିତୀୟ ପ୍ରଶ୍ନ ସମ୍ପର୍କରେ: ମୋର ଧାରଣା ମୋର ମୃତ୍ୟୁ ଭୟ ନାହିଁ, କିନ୍ତୁ ପୂର୍ଣ୍ଣତଃ ନିଶ୍ଚିତ ନୁହେଁ। କୌଣସି କାରଣରୁ ଯଦି ମୋର ବାହ୍ୟବୁଦ୍ଧି ଓ ଜ୍ଞାନ ନିଷ୍କ୍ରିୟ ହୋଇଯାଏ, ତେବେ ଗହନ ଅବଚେତନରେ କେଉଁଠି ଛପି ରହିଥିବା ସେ ଭୟ ଉଙ୍କି ମାରିପାରେ। ସେ ଯାହାହେଉ, ସଚେତନ ଭାବରେ ମୃତ୍ୟୁଭୟ ନଥିଲେ ମଧ୍ୟ ମୋର ‘ଜନ୍ମ ଭୟ’ କିନ୍ତୁ ରହିିଛି- ଅର୍ଥାତ୍‌ ‘ପୁନରପି ଜନନୀ ଜଠରେ ଶୟନମ୍‌’, ଜନ୍ମ ପରେ ପୁଣି ‘ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି’ ଉପରେ ଯାଇ ବସିବା ଓ ମାଟି ନହେଲେବି ଚକୋଲେଟ୍‌ ଚୋବାଇବା- ନାବାଳକରୁ ସାବାଳକ ହେବାର ସମୟ ଓ ଶ୍ରମ- ସେସବୁ ବଡ଼ ଅଡ଼ୁଆ ମନେହୁଏ; ତେବେ ପରେପରେ ଏହା ମଧ୍ୟ ବୁଝେଁ ଏଭଳି ଭୟ ଅହଂ ଏବଂ ଅଜ୍ଞାନତାର ହିଁ ଦୁଷ୍ଟାମି। ଯେଉଁ ମହାଶକ୍ତି ମୋ ଜନ୍ମ ଓ ଜୀବନର ହେତୁ, ସେ ଉତ୍ତମ ରୂପେ ଜାଣେ ମୋର ଭବିତବ୍ୟ। ନବଜନ୍ମର ସେ ଦୟନୀୟ ଅଜ୍ଞାନ ପର୍ଯ୍ୟାୟରେ ମଧ୍ୟ ଚେତନା ପାକଳ ​‌େ​‌ହାଇ ଚାଲିଥିବ।
ପ୍ରଶ୍ନ: ଉପଲବ୍ଧି ବିନା ଆଧ୍ୟାତ୍ମିକତାର ପରିକଳ୍ପନା କରାଯାଇ ପାରିବକି?
– ଶୁଭେନ୍ଦୁ ରଂଜନ ନାୟକ, ଭୁବନେଶ୍ବର
ଉତ୍ତର: ପ୍ରଥମେ ଆଧ୍ୟାତ୍ମିକତାର ପରିକଳ୍ପନା, ତା’ପରେ ଯାଇ ଉପଲବ୍ଧି। ‘ପରିକଳ୍ପନା’ ବୋଇଲେ ଆପଣ ପ୍ରାଥମିକ ଜ୍ଞାନ ବା ଧାରଣାକୁ ବୁଝାଉଛନ୍ତି ବୋଲି ମୋର ଅନୁମାନ। ସେହି ଧାରଣା ପୋଷଣ କରି ଆପଣ କୌଣସି ଆଧ୍ୟାତ୍ମିକ ସାଧନା ଆରମ୍ଭ କରିବେ। ସେ ସାଧନା ଆପଣଙ୍କୁ ଆଣିଦେବ ଉପଲବ୍ଧି। ଏହାହିଁ ସାଧାରଣ ନିୟମ; କିନ୍ତୁ ଅତୀନ୍ଦ୍ରିୟ ଜଗତରେ ଆମ ମାନସିକ ବା ଯୌକ୍ତିକ ନିୟମାବଳି କାର୍ଯ୍ୟକାରୀ ହୁଏନା। ଜଣେ ବହୁ ଦିନ ଧରି ନିଜ ଭିତରେ ଥିବା ସନ୍ଦେହ ବିରୋଧରେ ସଂଗ୍ରାମ କରି ଦିବ୍ୟଶକ୍ତିରେ ବିଶ୍ବାସ ଉପଲବ୍ଧି କରିପାରେ; ପୁଣି ବିଲ୍ବମଙ୍ଗଳଙ୍କୁ ତାଙ୍କ ପ୍ରେମିକାର ଗୋଟାଏ ଚେତାବନୀ- ତା’ ପ୍ରତି ତାଙ୍କ ଅନୁରାଗର କିଞ୍ଚିତ ଯଦି ପ୍ରଭୁଙ୍କ ଦିଗରେ ଧାବମାନ ହୁଅନ୍ତା! – ସେତିକିରେ ତାଙ୍କ ଚେତନାରେ ଯୁଗାନ୍ତର ଘଟିଯାଇପାରେ। କିନ୍ତୁ ବାସ୍ତବତା ହେଲା, ତାଙ୍କ ଆନ୍ତର ଚେତନା ପୂର୍ବ ଜନ୍ମରୁହିଁ ବିକଶିତ ହୋଇ ରହିଥିଲା। ସ୍ଥୂଳ ଚେତନା ତା’କୁ ମେଘାବୃତ କରି ରଖିଥିଲା। ତାଙ୍କ ଜୀବନରେ ଉପନୀତ ହେଲା ଦିବ୍ୟ ମୁହୂର୍ତ୍ତ। ଅପସରି ଗଲା ସେ ମେଘ। ବିସ୍ମୃତ ସତ୍ୟ ଉପଲବ୍ଧ ହେଲା।
ପ୍ରଶ୍ନ: ବାଧାବିଘ୍ନ ଅତିକ୍ରମ କରିବାର ଉପାୟ କ’ଣ ?
– ଅରୁଣ ଦେ, ବାଲେଶ୍ବର
ଉତ୍ତର: ନିର୍ଭର କରେ ବାଧାବିଘ୍ନର ଠିକ ପ୍ରକୃତି ଉପରେ। ସ୍ଥୂଳ ନା ସୂକ୍ଷ୍ମ? (କ) ଯଦି ପରିବାର ବା ବ୍ୟବସାୟରେ ଆପଣଙ୍କ ଇଚ୍ଛା ପୂରଣରେ ବାଧାବିଘ୍ନର ସମ୍ମୁଖୀନ ହେଉଥିବେ, ତେବେ ନିଜକୁ ବିଘ୍ନକାରୀ ସ୍ଥାନ​‌େ​‌ର ରଖି ପ୍ରଥମେ ତାଙ୍କ ଦୃଷ୍ଟିକୋଣରୁ ସମସ୍ୟାକୁ ବିଚାର କରନ୍ତୁ। ଏହା ତୁଚ୍ଛା ଅହଂ- ସଂଘର୍ଷ ନୁହେଁ ତ? (ଖ) ଯଦି ବୃତ୍ତିରେ ଅଥବା ଅନ୍ୟ ଯେ କୌଣସି କ୍ଷେତ୍ରରେ ଆପଣ ନିଜର ନ୍ୟାୟପରାୟଣତା, ନିଜ କର୍ମଧାରାର ଯଥାର୍ଥ୍ୟ ସମ୍ପର୍କରେ ସୁନିଶ୍ଚିତ, ତେବେ ହୃଦୟରେ ସତ୍ୟକୁ ଉଜ୍ଜୀବିତ ରଖି ସଂଗ୍ରାମ କରନ୍ତୁ। ସମାଜ ଆଖିରେ ଆପଣ ପରାଜିତ ହେଲେମଧ୍ୟ ଆପଣ ନିଜେ ଜାଣିବେ ଯେ ଆପଣ ବିଜୟୀ- ଯେହେତୁ ସମାଜ ଆଖିରେ ପରାଜୟ ପରାଜୟ ନୁହେଁ, ସତ୍ୟକୁ ତ୍ୟାଗ କରିବାହିଁ ପ୍ରକୃତ ପରାଜୟ। (ଗ) ଯଦି ଆଧ୍ୟାତ୍ମିକ ସାଧନା ପଥରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି, ତେବେ ସେସବୁ ବାଧାବିଘ୍ନ ନୁହନ୍ତି, ସୁଯୋଗ- ଅଧିକରୁ ଅଧିକ ସୁଯୋଗ। ସେ କ୍ଷେତ୍ରରେ, ଆପଣଙ୍କ ଆସ୍ପୃହା ଅନୁସାରେ ଦିବ୍ୟ ଶକ୍ତିର ସହାୟତା ଅନିବାର୍ଯ୍ୟ ଏବଂ ସାଧାରଣ ଦୃଷ୍ଟିରେ ବାଧାବିଘ୍ନ ଅତିକ୍ରାନ୍ତ ନହୋଇ ଯଦି ଅବ୍ୟାହତ ରହେ, ତାହାହିଁ ଆପଣଙ୍କ ପାଇଁ ପ୍ରୟୋଜନ ବୋଲି ଆପଣଙ୍କ ହୃଦ୍‌ବୋଧ ହେବ ଏବଂ ଦିବ୍ୟ ସହାୟତାର ସ୍ପର୍ଶ ତୁଳନାରେ ସେ ବାଧାବିଘ୍ନ ହାଲୁକା ମନେହେବ।
ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ର, ପୁଡୁଚେରି
(ସୂଚନା: ଚଳିତ ସଂଖ୍ୟାରୁ ଏହି ସ୍ତମ୍ଭର ପ୍ରକାଶନ ଆରମ୍ଭ ହେଉଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପ୍ରଫେସର ମନୋଜ ଦାସ ଦୈନିକ ଖବରକାଗଜ ‘ସମାଜ’ରେ ଏହି ନୂତନ ସ୍ତମ୍ଭ ଲେଖୁଛନ୍ତି। ଏହି ସ୍ତମ୍ଭରେ ସାହିତ୍ୟ, ସଂସ୍କୃତି, ଦର୍ଶନ, ଐତିହ୍ୟ, ଆଧ୍ୟାତ୍ମିକତା ତଥା(ସମସାମୟିକ ରାଜନୀତି ବ୍ୟତିରେକ) ସମାଜ-ଜୀବନର ବିଭିନ୍ନ ଦିଗ ଉପରେ ପାଠକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପ୍ରୟାସ ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଜଣେ ପାଠକ ତାଙ୍କ ଜିଜ୍ଞାସାକୁ ଗୋଟିଏ ପ୍ରଶ୍ନରେ ସୀମିତ ରଖିବେ। ପ୍ରଶ୍ନକର୍ତ୍ତା ନିଷେଧ କଲେ ତାଙ୍କ ନାମ ପ୍ରକାଶ କରାଯିବ ନାହିଁ। ପ୍ରଶ୍ନକୁ ସଂକ୍ଷିପ୍ତ ଓ ସୁସମ୍ବନ୍ଧ କରିବାର ଅଧିକାର ଉତ୍ତରଦାତାଙ୍କର ରହିବ। ଏହି ଅଭିନବ ସ୍ତମ୍ଭ ଏଣିକି ପ୍ରତି ମାସର ଦ୍ୱିତୀୟ ଓ ଶେଷ ଶନିବାର ସଂଖ୍ୟାରେ ପ୍ରକାଶ ପାଇବ। ପ୍ରଶ୍ନ ପଠାଇବାର ଠିକଣା: feature@thesamaja.in କିମ୍ବା prof.manojdas@gmail.com )

Leave A Reply