www.samajalive.in
Wednesday, December 10, 2025
23.1 C
Bhubaneswar

ମରାଠା ପଛୁଆ ବର୍ଗ: ୧୬% ସଂରକ୍ଷଣ ବ୍ୟବସ୍ଥା ପାଇଁ କମିଶନଙ୍କ ସୁପାରିସ

ମୁମ୍ବଇ : ମହରାଷ୍ଟ୍ର ରାଜ୍ୟ ପଛୁଆ କମିଶନ୍‍ ମରାଠା ସମ୍ପ୍ରଦାୟକୁ ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛୁଆ ବର୍ଗ ବୋଲି ଦର୍ଶାଇ ଏମାନଙ୍କ ପାଇଁ ଅତିରିକ୍ତ ୧୬% ସଂରକ୍ଷଣ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ସୁପରିସ କରିଛନ୍ତି। ସମ୍ପ୍ରତି ରାଜ୍ୟରେ ପଛୁଆ ବର୍ଗ ପାଇଁ ୫୨% ସଂରକ୍ଷଣ ବ୍ୟବସ୍ଥା ରହିଛି। କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହେଲେ ପଛୁଆ ବର୍ଗ ଲାଗି ଉଦ୍ଧିଷ୍ଟ ସଂରକ୍ଷଣ ପରିମାଣ (ବର୍ତ୍ତମାନର ୫୨%କୁ ମିଶାଇ) ୬୮%ରେ ପହଞ୍ଚିବ।
ସୂଚନାନୁସାରେ ଅବସରପ୍ରାପ୍ତ ବିଚାରପତି ଏମ୍‍.ଡି. ଗାଏକୱାର୍ଡଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ମହାରାଷ୍ଟ୍ରର ମୋଟ ଜନସଂଖ୍ୟାର ୩୦% ହେଉଛନ୍ତି ମରାଠା। ଯେଉଁ ୨୫ଟି କ୍ଷେତ୍ରକୁ ନେଇ କୌଣସି ବର୍ଗକୁ ପଛୁା ବର୍ଗ ଭାବେ ବିବେଚନା କରାଯାଏ ସେସବୁ କ୍ଷେତ୍ରରେ ମରାଠାମାନେ ପଛରେ ରହିଛନ୍ତି। କମିଶନଙ୍କ ସୁପାରିସ ସମ୍ବଳିତ ରିପୋର୍ଟ ଗୁରୁବାର ମୁଖ୍ୟ ଶାସନ ସଚିବ ଡି. କେ. ଜୈନଙ୍କୁ ପ୍ରଦାନ କରାଯାଇଛି। ସାମ୍ବିଧାନିକ ପ୍ରକ୍ରିୟା କ୍ରମେ ଏହି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ୧୫ ଦିନ ସମୟ ଲାଗିବ। ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏ ସମ୍ବନ୍ଧୀୟ ଜଉମୁଦ ରିପୋର୍ଟ ଉପସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବିଧାନସଭା ଶୀତକାଳୀନ ଅଧିବେଶନରେ ଏହି ସଂରକ୍ଷଣ ସମ୍ବନ୍ଧୀୟ ବିଲ୍‍ ପାସ କରାଇବାର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଉଲ୍ଲେଖ ଯେ ମହାରାଷ୍ଟ୍ର ସରକାର ୨୦୧୭ ଜୁନରେ ପଛୁଆ ବର୍ଗ କମିଶନଙ୍କୁ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ କି ନାହିଁ ସେ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଥିଲେ। କମିଶନ ୨୦୧୭ ଅଗଷ୍ଟରୁ ଏହା ଉପରେ କାର୍ଯ୍ୟାରମ୍ଭ କରିଥିଲେ। ଏହା ପୂର୍ବରୁ ୨୦୧୪ରେ ଏହି ସମ୍ପ୍ରଦାୟକୁ କୋଟା ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବିଧେୟକ ଗୃହିତ କରିଥିଲେ। ମାତ୍ର ବମ୍ବେ ହାଇକୋର୍ଟ ଏହି ବିଧେୟକ ଉପରେ ରହିତା ଦେଶ ଲାଗୁ କରିଥିଲେ। ଫଳରେ ବର୍ତ୍ତମାନର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଆଶ୍ର୍ରୟ ନେଇଥିଲେ। ମାତ୍ର ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ନ ମିଳିବାରୁ ରାଜ୍ୟ ସରକାର ପୁନଶ୍ଚ ହାଇକୋର୍ଟରେ ଆବେଦନ କରିଥିଲେ। ଏକ ପଛୁଆ ବର୍ଗ କମିଶନ ଗଠନ କରି ତାହା ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଜାରି କରିଥିଲେ। ବିଗତ ୧୫ ମାସ ହେବ ଏହି କମିଶନ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ୨୫,୦୦୦ ମରାଠା ପରିବାର ସହିତ ଯୋଗାଯୋଗ କରିଥିଲେ। ମରାଠା ସମ୍ପ୍ରଦାୟର ୨,୦୦,୦୦୦ ଲୋକଙ୍କ ମତାମତ ସଂଗ୍ରହ କରିବା ପରେ କମିସନ ଉପରୋକ୍ତ ସୁପାରିସ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଅନ୍ୟପଟେ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗି ଦିଆଯାଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପୂରଣ ହେବ। ଡିସେମ୍ବର ୧ରେ ସଂରକ୍ଷଣ ସମ୍ବନ୍ଧୀୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଫଡନାବିସ ଗୁରୁବାର ଅହମଦାବାଦଠାରେ ଏହି ସମ୍ପ୍ରଦାୟ ଉଦ୍ଦେଶ୍ୟରେ କହିଛନ୍ତି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories