ମନ୍ତ୍ରୀଙ୍କ ବିରୋଧରେ ବର୍ଷିଲେ ନଗରପାଳ

0

ପୁରୀ: ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ଗୁରୁବାର ବିଷ ଉଗାଳିଛନ୍ତି ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ। ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ ପୁରୀ ପୌରସଂସ୍ଥା କୋଟି କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ରୀୟ ଅନୁଦାନ ହାତଛଡା କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ଏଭଳି ବିସ୍ଫୋରକ ବୟାନ ପୁରୀ ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ମହେଶ୍ୱର-ଜୟନ୍ତ ବିବାଦ ଅଧିକ ଘନୀଭୂତ ହୋଇଛି। ମହେଶ୍ୱରଙ୍କ ଅସହଯୋଗ ଯୋଗୁଁ ପୁରୀ ସହରରେ ଅନେକ ବିକାଶମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିନଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ହୃଦୟ ଯୋଜନାରେ କେନ୍ଦ୍ର ସରକାର ପୌରସଂସ୍ଥା ଉଦ୍ଦେଶ୍ୟରେ ଦେଇଥିବା ୨୨କୋଟି ଟଙ୍କା ମହେଶ୍ୱରଙ୍କ ନିର୍ଦେଶରେ ଜିଲା ପ୍ରଶାସନ ଛଡାଇ ନେଇ ଡୁଡାକୁ ଦେଇଥିବା ନଗରପାଳ କହିଛନ୍ତି। କେବଳ
ସେତିକି ନୁହେଁ, ଉନ୍ନତି ଯୋଜନାରେ ପୁରୀର ୩୨ଟି ୱାର୍ଡ ପାଇଁ ରାଜ୍ୟ ସରକାର ୮କୋଟି ଟଙ୍କା ମଞ୍ଜୁର କରିଥିଲେ। ପୌରସଂସ୍ଥା ପରିବର୍ତ୍ତେ ସଦର ବ୍ଲକକୁ ପ୍ରକଳ୍ପ କାର୍ଯ୍ୟକାରୀ ଦାୟିତ୍ୱ କାହିଁକି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ କ୍ଷେତ୍ରରେ କୌଣସି ପୌର ସଦସ୍ୟଙ୍କ ମତାମତକୁ ସମ୍ମାନ ଦିଆଯାଇ ନାହିଁ। ତାଲିକାରେ ତଞ୍ଚକତା କରାଯାଇ କେତେକ ୱାର୍ଡପାଇଁ ଉଦ୍ଦିଷ୍ଟ ଅର୍ଥ ଅନ୍ୟୱାର୍ଡରେ ଖର୍ଚ୍ଚ କରାଯାଉଛି। ପୁରୀ ପୌରସଂସ୍ଥା ପାଖରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଯନ୍ତ୍ରୀ ଥିବାବେଳେ ସଦର ପଞ୍ଚାୟତ ସମିତି ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ସେହିପରି ପ୍ରସାଦ, ଅମୃତ, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଏବଂ ସ୍ୱଚ୍ଛ ଆଇକନିକ ସିଟି ଯୋଜନାରେ ପୁରୀ ପୌରସଂସ୍ଥା ପ୍ରତି ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବା ନଗରପାଳ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସେ କହିଲେ ସମୁଦ୍ରକୂଳ ନିକଟସ୍ଥ ବଳିଆପଣ୍ଡା ମୌଜାରେ ଅମୃତ ଯୋଜନାରେ ପ୍ରମୋଦ ଉଦ୍ୟାନ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ପୌରସଂସ୍ଥା ପକ୍ଷରୁ ସଂପୃକ୍ତ ଜମି ଅବରୋଧମୁକ୍ତ କରାଯାଇ ପ୍ରାଚୀର ନିର୍ମାଣ କରାଯାଇଛି। ୨୦୧୬ ଅଗଷ୍ଟ ୩୧ରେ ପାର୍କ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ପୁରୀ ପୌରସଂସ୍ଥା ପାର୍କନିର୍ମାଣ କରିପାରିବ ନାହିଁ ଦର୍ଶାଇ ପଞ୍ଜାବର ଏକ ବେସରକାରୀ ସଂସ୍ଥା ସମେତ ନାଲକୋ ଦ୍ୱାରା କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିଯୋଗୁଁ ପ୍ରାୟ ୨ବର୍ଷ ହେଲା ପାର୍କ ନିର୍ମାଣ କରାଯାଇ ପାରିନାହିଁ। ଆରମ୍ଭରୁ ପୌରସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲେ ଚଳିତବର୍ଷ ସ୍ୱାୟତ୍ତ ଶାସନ ଦିବସରେ ତାହାକୁ କାର୍ଯ୍ୟକ୍ଷମ କରାଯାଇ ଥାଆନ୍ତା।
ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଯୋଜନାରେ ପୁରୀ ପୌରସଂସ୍ଥାକୁ ଅନ୍ଧକାରରେ ରଖାଯାଇଥିବା ନଗରପାଳ କହିଛନ୍ତି। ସେ କହିଲେ ମନ୍ତ୍ରୀ ଶ୍ରୀ ମହାନ୍ତି ପୁରୀ ନଗରପାଳ ଥିବାବେଳେ ସ୍ଥାନୀୟ ବିଧାୟକଙ୍କୁ ପୂରାଇ ଦେଉନଥିଲେ। ଆପଣଙ୍କ କାମ ଭୁବନେଶ୍ୱରରେ ବୋଲି କହି ତତ୍କାଳୀନ ବିଧାୟକ ବ୍ରଜ କିଶୋର ତ୍ରିପାଠୀଙ୍କୁ ପୌରସଂସ୍ଥାର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ସୁଯୋଗ ଦେଉନଥିଲେ; କିନ୍ତୁ ଶ୍ରୀ ମହାନ୍ତି ନିଜେ ବିଧାୟକ ହେବାପରେ ପୁରୀ ପୌରସଂସ୍ଥାର ସବୁ କାମରେ ହସ୍ତକ୍ଷେପ କରୁଛନ୍ତି। ଏଥିଯୋଗୁଁ ପୌରସଂସ୍ଥା ସମେତ ସହରବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବିକାଶମୂଳକ କାର୍ଯ୍ୟ ବହୁ ପଛରେ ପଡିଛି। ମହେଶ୍ୱରଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିବା ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ବିଧାୟକ ଶ୍ରୀ ମହାନ୍ତି ସହଯୋଗ କରିଥିଲେ ପୁରୀ ସହର ପାଇଁ ଆହୁରି ଅନେକ କାର୍ଯ୍ୟ ପୌରସଂସ୍ଥା କରିପାରି ଥାଆନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲା। ସେ ମୋବାଇଲ ଫୋନ ନଧରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

kalyan agarbati
Leave A Reply